ନୂଆଦିଲ୍ଲୀ: ଆଦାନୀ ଗତ ଆର୍ଥିକ ବର୍ଷ(୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ) ତୁଳନାରେ ଏହି ବର୍ଷ(୨୦୨୪ ଏପ୍ରିଲରୁ ୨୦୨୫ ମାର୍ଚ୍ଚ) ଅଧିକ ୨୯ ପ୍ରତିଶତ ଟ୍ୟାକ୍ସ ପୈଠ କରିଛନ୍ତି । ଚଳିତ ବର୍ଷ ଗ୍ରୁପ ନିଜ କମ୍ପାନି ଜରିଆରେ ମୋଟ୍ ୭୪ ହଜାର ୯୪୫ କୋଟି ଟଙ୍କାର ଟ୍ୟାକ୍ସ ସରକାରୀ ରାଜସ୍ୱରେ ଜମା କରିଛନ୍ତି । ଗତ ବର୍ଷ ଆଦାନୀ ୫୮ ହଜାର ୧୦୪ କୋଟି ଟଙ୍କାର ଟ୍ୟାକ୍ସ ପୈଠ କରିଥିଲେ । ଗୁରୁବାର ଆଦାନୀ ଗ୍ରୁପ ଏହାର ସୂଚନା ଦେଇଛି ।
ଇକୋନୋମିକ୍ସ ଟାଇମ୍ସ ମୁତାବକ କମ୍ପାନି ଦେଇଥିବା ଟ୍ୟାକ୍ସରେ ପ୍ରତ୍ୟକ୍ଷ କର, ଗ୍ରାହକ ଓ ଅନ୍ୟଠୁ ଆଦାୟ ହୋଇଥିବା ଅପ୍ରତ୍ୟକ୍ଷ କର ଓ କର୍ମଚାରୀଙ୍କ ସାମାଜିକ ସୁରକ୍ଷାରେ ଦିଆଯାଇଥିବା ଯୋଗଦାନ ବି ସାମିଲ । ଏହି ଟ୍ୟାକ୍ସ ଅର୍ଥରୁ ଏହା ଅନୁମାନ କରାଯାଇ ପାରିବ ଯେ, ୭୪ ହଜାର ୯୪୫ କୋଟି ଟଙ୍କାରେ ପୂରା ମୁମ୍ବାଇ ମେଟ୍ରୋ ନେଟୱର୍କରେ ପରିଣତ ହୋଇଯିବ । ଏହି ଅର୍ଥରେ ଅତ୍ୟାଧୁନିକ ଅଲିମ୍ପିକ୍ସ କ୍ରୀଡା ଆୟୋଜନ ହୋଇ ପାରିବ । ଏହି ମୋଟ୍ ଟ୍ୟାକ୍ସରେ ୨୮ ହଜାର ୭୨୦ କୋଟି ପ୍ରତ୍ୟକ୍ଷ କର, ୪୫ ହଜାର ୪୦୭ କୋଟି ଅପ୍ରତ୍ୟକ୍ଷ କର ଓ ୮୧୮ କୋଟି ଟଙ୍କାର ଅନ୍ୟ ଯୋଗଦାନ ସାମିଲ ।
ଆଦାନୀ ଗ୍ରୁପ ନିଜର ଏହି ଟ୍ୟାକ୍ସ ପୈଠର ପୂରା ବିବରଣୀ ନିଜର ୱେବସାଇଟରେ ଦେଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ସମଗ୍ର ଦୁନିଆରେ କମ୍ପାନି କେତେ ଟଙ୍କା ଦେଇଛି, ଅନ୍ୟଠୁ କେତେ ଆଦାୟ କରିିଛି ଏବଂ ସରକାରଙ୍କୁ କେତେ ଜମା କରିଛି ଓ କର୍ମଚାରୀଙ୍କ ପାଇଁ ସୁରକ୍ଷାରେ କେତେ ଯୋଗଦାନ ଦିଆଯାଇଛି । ଗ୍ରୁପ କହିଛି ଯେ, ଆମର ଟ୍ୟାକ୍ସ ପୈଠରେ ପୂରା ପାରଦର୍ଶିତା ରହିଛି ଏବଂ ସାମାଜିକ କ୍ଷେତ୍ରରେ ଆମର ଯୋଗଦାନ ବେଶ ଭଲ ରହିଛି ।