ଠାକୁରାଣୀ ଯାତ୍ରା ପାଇଁ ଚଳଚଞ୍ଚଳ ପୁରା ଭଞ୍ଜନଗର । ଢୋଲ, ମହୁରୀ,ଘଣ୍ଟ, ଗିନି ଶବ୍ଦ ରେ ପ୍ରକମ୍ପିତ ହେଉଛି ସହର । ଗୋଟିଏ ମଣ୍ଡପରେ ଦୁଇ ଦେବୀ ବିଜେ ହେବାପରେ ମହା ଆଡମ୍ବରରେ ଯାତ୍ରାକୁ ୨୧ ଦିନ ଧରି ପାଳନ କରାଯାଉଛି । ଯାତ୍ରାକୁ ଅଧିକ ଆକର୍ଷଣ କରିବା ପାଇଁ ଆଲୋକ ମାଳାରେ ସଜା ଯାଇଛି ପୁରା ସହରକୁ । ନିର୍ମାଣ ହୋଇଛି ସୁ ଉଚ୍ଚର ତୋରଣ । ସହରର କାନ୍ଥ ଗୁଡିକରେ ଅଙ୍କାଯାଇଛି ସୁନ୍ଦର ସୁନ୍ଦର ଥ୍ରୀଡି ଚିତ୍ର । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ କୁ ନଜରରେ ରଖି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି । ଶୃଙ୍ଖଳିତ ଭାବେ ଯାତ୍ରା ସମାପନ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମା' ଙ୍କ ଯାତ୍ରା ମେ ୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ମେ ୨୪ ତାରିଖ ରେ ଯାଇ ଶେଷ ହେବ।
ଏହି ଅବସରରେ ମାଆଙ୍କ ପାଇଁ ଅସ୍ଥାୟୀ ମଣ୍ଡପ ଓ ଅସ୍ଥାୟୀ ପୋଲ ଓ ଅସ୍ଥାୟୀ ପୂଜକଙ୍କ ବ୍ୟବସ୍ଥା କରାଯାଇଥାଏ । ଯାହାକୁ ନେଇ ବେଶ୍ ଭକ୍ତିମୟ ମାହୋଲ ସୃଷ୍ଟି ହୋଇଥାଏ । ପ୍ରଥମେ ମାଆ ବ୍ୟାଘ୍ରଦେବୀଙ୍କ ମସ୍ତକରୁ ଆଜ୍ଞାମାନ ପୂଜକ ପାଇବାପରେ ହିଁ ମାଆଙ୍କୁ ସାଦରେ ପାଛୋଟି ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥାଏ । ସେଥିପାଇଁ ଘଣ୍ଟା ଘଣ୍ଟା ଧରି ମାଙ୍କୁ ପୂଜା କରି ଅପେକ୍ଷା କରିବାକୁ ପଡ଼େ । ପରେ ପରେ ସହରର ଅଧିଷ୍ଟ୍ରାତ୍ରୀ ଠାକୁରାଣୀ ମାଆଙ୍କୁ ଯଥାରିତିନୀତିରେ ପୂଜାକରି ମାଆଙ୍କ ମସ୍ତକରୁ ପୂଜକଙ୍କ ପଣତକାନି ଭିତରକୁ ପୁଂଲ ମାଳ ସ୍ୱରୁପ ନିର୍ଦ୍ଦେଶ ନ ଆସିବା ଯାଏଁ ମାଙ୍କୁ ମନ୍ଦିରରୁ ଅଣାଯାଇନଥାଏ । ପରେ ଉଭୟ ମାଆ ଠାକୁରାଣୀ ଓ ବ୍ୟାଘ୍ରଦେବୀ ମାଆଙ୍କ ଆଜ୍ଞାମାଳ ମିଳିବ ପରେ ବିରାଟ ପଟୁଆର ସହ ଅସ୍ଥାୟୀମଣ୍ଡପକୁ ଅଣାଯାଇଥାଏ । ପ୍ରତିଦିନ ରୀତିନୀତି ଅନୁସାରେ ମା'ଙ୍କୁ ପୂଜାର୍ଚ୍ଚନା କରିବା ସହିତ ମଧ୍ୟାହ୍ନ ଓ ରାତ୍ରରେ ଅନ୍ନ ଭୋଗ, ସନ୍ଧ୍ୟାରେ ପଣା ଭୋଗ ଲାଗି କରାଯାଏ । ସନ୍ଧ୍ୟା ସମୟରେ ମହିଳା ମାନେ ମାଙ୍କ ଘଟକୁ ମୁଣ୍ଡରେ ଧରି ନଗର ପରିକ୍ରମା କରିଥାନ୍ତି । ପରିକ୍ରମା ସମୟରେ ମାନସିକ ଧାରୀ ମାନେ ବିଭିନ୍ନ ବେଶ ପଡ଼ି ମାଙ୍କ ସାଥିରେ ସହର ପରିକ୍ରମା କରିବାର ପରମ୍ପରା ରହି ଆସିଛି ।