ଖବର ଓଡିଶା : 05/02/2023
ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗଜ ଉଦ୍ଧାରଣ ବେଶ ।ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଶ୍ରୀ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହେବେ । ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦିରେ ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଥିପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକାନ୍ତି ଆୟୋଜିତ ହେଉଛି । ମଧ୍ୟାହ୍ନ ଦୀପ ପରେ ଠାକୁରଙ୍କ ବେଶ ସଜ୍ଜା ଆରମ୍ଭ ହେବ । ରତ୍ନ ସିଂହାସନ ତଳକୁ ହାତୀ କୁମ୍ଭୀର ସଜ୍ଜିତ ହେବେ । କୁମ୍ଭୀର ହାତୀକୁ ଆକ୍ରମଣ କରିବା ବେଳେ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବା ଭଙ୍ଗିରେ ରହିବେ । ସନ୍ଧ୍ୟା ଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ । ପୌରାଣିକ କଥା ବସ୍ତୁ ଅନୁଯାୟୀ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କ୍ଷତବୀକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ଗଜରାଜ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ଏହି ପୌରାଣିକ କଥାବସ୍ତୁକୁ ଆଧାର କରି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି ଗଜ ଉଦ୍ଧାରଣ ବେଶ ।