ଖବର ଓଡିଶା : 12/05/2023
ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା l ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ। ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେଲା ଚକ-ଅଖ । ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ। ୩ ପୂଜାପଣ୍ଡା ସକାଳ ଧୁପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବା ପରେ ବିଶ୍ୱକର୍ମାମାନେ ଅନୁକୁଳ କରିଥାନ୍ତି । ସେପଟେ ରଥ ଖଳାରେ ୩ ରଥର ୩ଟି ନାହାକ ଅଖ ଓ ୬ଟି ଚକ ପ୍ରସ୍ତୁତ କରି ରଖାଯାଇଥିବା ବେଳେ ଶୀତଳ ଷଷ୍ଠୀ ପୂର୍ବରୁ ୪୨ଟି ଚକ ୨୧ଟି ଅଖ ସଂପୂର୍ଣ୍ଣ କରି ଡେରାଯିବ ।
ସେପଟେ ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭା ହେବେ ଦେବଦେବୀ l ହଜାର ହଜାର ଶ୍ରଦ୍ଧାଳୁ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡା଼ରେ ପହଞ୍ଚିବେ ଚନ୍ଦନ ଠାକୁର l ଶ୍ରୀରାମକୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ବତୀଙ୍କ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ବାର ଚାପ କ୍ରୀଡା କରିବେ l ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।