ଆଜି ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ପତିତପାବନଙ୍କୁ ଦର୍ଶନ କରିପାରିବେନି ଭକ୍ତ
Khabar Odisha:Lord-jagganath-Nagarjuna-besha-today
ପୁରୀ, ନଭେମ୍ବର ୨୭( ଖବର ଓଡ଼ିଶା)

 ଆଜି ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ।  ବେଶର ନିର୍ମାଣ କାର୍ଯ୍ୟ ନେଇ ପବିତ୍ର ବିଜୟା ଦଶମୀରୁ ଅନୁକୁଳ ହୋଇଥିଲା । ଆଜି ଶୁଭ ମୂହୁର୍ତ୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିବ ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ହେଉଥିବା ଏହି ବେଶକୁ କିନ୍ତୁ କରୋନା କଟକଣା କାରଣରୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ ।  ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରିଛି ଜିଲା ପ୍ରଶାସନ ।  ରାତି ୨ଟାରୁ ବେଶ ଉଲାଗି ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । 

ବଡ଼ଦାଣ୍ଡର ମରୀଚିକୋଟ୍‌ ଛକରୁ ସିଂହଦ୍ବାର ଏବଂ ମନ୍ଦିର ଚତୁଃପାର୍ଶ୍ବରେ ୧୪୪ଧାରା ଜାରି କରାଯାଇଛି । ଏହାଛଡା ଦୋଳମଣ୍ଡପସାହିର ଜହ୍ନିମୁଣ୍ଡିଆ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ମାର୍କେଟ ଛକ, ମରିଚିକୋଟ୍‌ ଛକ, ଜହ୍ନିମୁଣ୍ଡିଆ ଛକ, ନାରାୟଣୀ ଛକ, ଗାଣ୍ଡୁଆଚଉରା ଛକ, ଖଜାପଟି, ପାଣିଟାଙ୍କି ଛକ ସମେତ ବାସେଳିସାହି ପ୍ରବେଶ ପଥରେ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ସେବକ ଏବଂ କର୍ମଚାରୀଙ୍କ ମୋବାଇଲ ଫୋନ୍‌ ଯାଞ୍ଚ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଭିଡ଼ିଓ ରେକର୍ଡିଂ ଏବଂ ଫଟୋ ଉତ୍ତୋଳନ ଉପରେ ନିଷେଧାଦେଶ ଜାରି କରିଛି ମନ୍ଦିର ପ୍ରଶାସନ। ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜନ କରାଯାଇଥିବା ଏସ୍‌ପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ୨ଜଣ ଅତିରିକ୍ତ ଏସ୍‌ପିଙ୍କ ସମେତ ୭ ଡିଏସ୍‌ପି, ୧୯ ଇନ୍ସପେକ୍ଟର, ୭୭ ଏଏସ୍ଆଇ, ୨୫୦ ଗୃହରକ୍ଷୀଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ମନ୍ଦିର ଚତୁଃପାର୍ଶ୍ବରେ ଏକାଧିକ ଲୋକଙ୍କ ସମାଗମ ଏବଂ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବା ଗଣମାଧ୍ୟମକୁ କୁହାଯାଇଛି । କୌଣସି ଅଣସେବକ ଶ୍ରୀମନ୍ଦିର ଭିତରେ ଯେପରି ପ୍ରବେଶ କରିନପାରିବେ ସେଥିପାଇଁ ସିଂହଦ୍ବାର, ଦକ୍ଷିଣଦ୍ବାର, ପଶ୍ଚିମଦ୍ବାର ଏବଂ ଉତ୍ତରଦ୍ବାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ କର୍ଡନ ମଧ୍ୟରେ ହରଚଣ୍ଡୀସାହିରୁ ଶ୍ରୀମନ୍ଦିରକୁ ନାଗାର୍ଜୁନ ବେଶ ସାମଗ୍ରୀ ଅଣାଯିବ। ମନ୍ଦିର ଭିତରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ କଟକଣା ଦୃଷ୍ଟିରୁ ଜନସମାଗମ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସିଂହଦ୍ବାର ସମ୍ମୁଖରେ ୧୪୪ଧାରା ଜାରି ହୋଇଥିବାରୁ ଶୁକ୍ରବାର ସକାଳୁ ନାଗାର୍ଜୁନ ବେଶ ଉଲାଗି ନହେବା ଯାଏ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଛଡାଯିବ ନାହିଁ।  

  • Tags:

Subscribe

National International State Sports Entertainment