ଭୁବନେଶ୍ୱର: ବରଗଡ଼ର ଧନୁଯାତ୍ରା ପାଇଁ କଂସ ଭୂମିକାରେ ଅଭିନୟ ପାଇଁ କଳାକାର ଖୋଜା ଶେଷ ହୋଇଛି | ଚଳିତ ବର୍ଷ କଂସ ଭୂମିକାରେ ପୁଣି ଅଭିନୟ କରିବେ ହୃଷିକେଶ ଭୋଇ । କଳାକାର ଚୟନ କମିଟି ଅଧ୍ୟକ୍ଷ ତଥା ବରଗଡ଼ ଏଡ଼ିଏମ ମିର୍ଦ୍ଧା ଟପ୍ପୋ ଏହା ଘୋଷଣା କରିଛନ୍ତି। କଂସ ଚରିତ୍ରରେ ଅଭିନୟ ଲାଗି 42 କଳାକାର ସାକ୍ଷାତକାର ଦେଇଥିଲେସୁଦ୍ଧା ଶେଷରେ ହୃଷିକେଶଙ୍କୁ ହିଁ ଚୟନ କରାଯାଇଛି | ପୂର୍ବରୁ 9 ବର୍ଷ କଂସ ଭୂମିକାରେ ଅଭିନୟ କରିଛନ୍ତି ହୃଷିକେଶ।
ଧନୁଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ 56 କଳାକାରଙ୍କ ମଧ୍ୟରୁ ଅଡିସନ୍ ପାଇଁ ଆସିଥିଲେ 43 ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନୂତନ ଏବଂ ଅଭିଜ୍ଞ କଳାକାର । ସକାଳୁ ଆରମ୍ଭ ହୋଇଥିବା ଅଡିସନ୍ ସନ୍ଧ୍ୟା ଯାଏଁ ଚାଲିଥିଲା ଏବଂ 7ଜଣିଆ ବିଚାରପତି ମଣ୍ଡଳୀ ଆଗରେ ଜଣକ ପରେ ଜଣେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ କରିଥିଲେ । ଶେଷରେ ପୂର୍ବରୁ 9 ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କୁ ହିଁ ଚୟନ କରାଯାଇଥିଲା |
ବିଶ୍ୱର ସର୍ବବୃହତ ଖୋଲା ରଗମଂଚର ମାନ୍ୟତା ପାଇଥିବା ବରଗଡ଼ର ଐତିହାସିକ ଧନୁଯାତ୍ରା ମହୋତ୍ସବ ଚଳିତ ବର୍ଷ 75 ବର୍ଷରେ ପଦାର୍ପଣ କରିଛି । ଐତିହାସିକ ଧନୁଯାତ୍ରା ମହୋତ୍ସବ ଏଥର ପ୍ଲାଟିନମ୍ ଜୁବୁଲୀ ପାଳନ କରୁଥିବାରୁ ଏବର୍ଷ ଧନୁଯାତ୍ରାର ରୂପ ଓ କଳେବର ବୃଦ୍ଧି ସହ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି ।