ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି, ଦୋଳବେଦୀକୁ ବିଜେ କରିବେ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ
Khabar Odisha:Holika-Dahan-Ritual-in-Jagannath-Temple
ଖବର ଓଡିଶା : 06/03/2023

 ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ଅର୍ଥାତ ଆଜି ସଂଧ୍ୟାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ମେଣ୍ଢାପୋଡି ନୀତି । ଶ୍ରୀମନ୍ଦିରର ମେଣ୍ଢାପୋଡ଼ି ନୀତିକୁ ହିନ୍ଦୀ ଭାଷୀ ଶ୍ରଦ୍ଧାଳୁମାନେ କୁହନ୍ତି ହୋଲିକା ଦହନ ଉତ୍ସବ । ଦୋଳବେଦି ପରିସରରେ ମାରୱାଡ଼ି ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ହୋଲିକା ରାକ୍ଷାସୀର ପ୍ରତିମୂର୍ତ୍ତି ତିଆରନ୍ତି । ଘସି(ସୁଖିଲା ଗୋବର)କୁ ସୂତାରେ ଗୁଡ଼ାଇ ଛୋଟ ଛୋଟ କାଠରେ ସଜାଇ ହୋଲିକା ରାକ୍ଷାସୀର ପ୍ରତିମୂର୍ତ୍ତି ଗଢିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଏ ।ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ଅନୁଷ୍ଠିତ ହେବ। ଏହି ପରମ୍ପରା ଅତି ପ୍ରାଚୀନ । ଜାଗରଠାରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥାଏ | ପୁରାଣ କଥାନୁସାରେ, ରାକ୍ଷସ ହିରଣ୍ୟକଶ୍ୟପର ଭଉଣୀ ହେଉଛି ରାକ୍ଷସୀ ହୋଲିକା । ଶ୍ରୀକୃଷ୍ଣଙ୍କ ଭକ୍ତ ତଥା ହିରଣ୍ୟକଶ୍ୟପଙ୍କ ପୁତ୍ର ପ୍ରହ୍ଲାଦକୁ ହତ୍ୟା କରିବାକୁ ହୋଲିକା ଷଡ଼ଯନ୍ତ୍ର ରଚିଥିଲା । ବହୁ ପ୍ରକାରେ ଚେଷ୍ଟା କରି ପ୍ରହ୍ଲାଦଙ୍କୁ ମାରିପାରିଲାନି ହିରଣ୍ୟକଶ୍ୟପ । ହୋଲିକା ବରପ୍ରାପ୍ତି ହୋଇଥିଲା ନିଆଁରେ ପୋଡ଼ିବ ନାହିଁ । ଏଣୁ ପ୍ରହ୍ଲାଦଙ୍କୁ କୋଳରେ ଧରି ପୋଡ଼ି ପକାଇବ ବୋଲି ଭାବିଥିଲା । କିନ୍ତୁ ପ୍ରହ୍ଲାଦ ଥିଲେ ଠାକୁରଙ୍କ ଭକ୍ତ ଓ ନିଷ୍ପାପ । ଏଣୁ ସଙ୍କଟରେ ପଡ଼ି ପ୍ରହ୍ଲାଦ ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଜପ କରିବାରୁ ଠାକୁରେ ତାଙ୍କ ବଞ୍ଚାଇଥିଲେ । ଅନ୍ୟପଟେ ହୋଲିକା ଜଳି ଯାଇଥିଲା । ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବକୁ ମାରୱାଡ଼ି ସମ୍ପ୍ରଦାୟର ଭକ୍ତମାନେ ଏହିଭଳି ପାଳନ କରୁଛନ୍ତି |

Subscribe

National International State Sports Entertainment