ଦୁର୍ଗା ପୂଜା ପରେ ଏବଂ ଦୀପାବଳି ପୂର୍ବରୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନତେରସ୍ ପର୍ବକୁ ବହୁତ ହିଁ ଧୁମ ଧାମରେ ପାଳନ କରାଯାଏ । ଏଥିପାଇଁ ପୁଣିଥରେ ଚଳଚଞ୍ଚଳ ହୋଇ ପଡ଼ିଛି ଗାଁ ଠୁ ସହର । ସମସ୍ତେ ନିଜ ଘରକୁ କିପରି ଆହୁରି ସୁନ୍ଦର ଭାବରେ ସଜେଇବେ ସେଥିପାଇଁ ବିଭିନ୍ନ ପ୍ରକାରର ରଙ୍ଗ ବିରଙ୍ଗ ଲାଇଟ ସହ ରଙ୍ଗୋଲି ରେ ପ୍ରଦୀପ ବ୍ୟବହାର କରିଥାନ୍ତି । ଏହି ପର୍ବ ସବୁ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ପାଳନ କରାଯାଇଥାଏ । ଯାହାକି ଚଳିତ ବର୍ଷ ୧୦ ନଭେମ୍ବର ଶୁକ୍ରବାର ଦିନ ପଡୁଛି ।
ତେବେ ଚଳିତ ବର୍ଷ ଧନତେରସ୍ ପୂଜା ଆରମ୍ଭର ଶୁଭ ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୫ଟା୪୭ ମିନିଟ୍ ରୁ ସନ୍ଧ୍ୟା ୭.୪୩ ମିନିଟ୍ ଭିତରେ ରହିଛି । ଶାସ୍ତ୍ର ଓ ଧାର୍ମିକ ଗ୍ରନ୍ଥ ମୁତାବକ ଧନତରେସ୍ରେ ୧୩ଟି ଦୀପ ଲଗାଯାଇଥାଏ । ଏଥର ଏହି ପୂଜା ପାଇଁ ପାଖାପାଖି ପାଇଁ ୨ଘଣ୍ଟା ସମୟ ମିଳିବ । ଧନତେରସ୍ ପୂଜାରେ ମା ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ ଭଗବାନ କୁବେରଙ୍କୁ ପୂଜା କରାଯାଇଥାଏ ।
ଚାଲନ୍ତୁ ଜାଣିବା ଏହି ପୂଜାରେ କଣ କଣ ବ୍ୟବହାର କରାଯାଏ :-
ଧନତେରସ୍ ଅବସରରେ, ସନ୍ଧ୍ୟାରେ ଦେବୀ ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ ଧନର ଦେବତା କୁବେରଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ। ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ସମଗ୍ର ପରିବାରକୁ ଧନ, ସୁଖ ଏବଂ ସମୃଦ୍ଧି ଦେବା ସହ ଭଗବାନ ଗଣେଶ ସମସ୍ତ ପ୍ରକାରର ଅପ୍ରୀତିକର ଜିନିଷ ଅପସାରଣ କରି ଶୁଭକାମନା ପ୍ରଦାନ କରନ୍ତି ଏବଂ ଭଗବାନ କୁବେରଙ୍କ କୃପା ରୁ ଧନ ସମ୍ପତ୍ତିରେ ଅପାର ବୃଦ୍ଧି ଘଟିଥାଏ । ମା ଲକ୍ଷ୍ମୀ ଚଞ୍ଚଳା ହୋଇଥିବାରୁ ଭଗବାନ ଗଣେଶଙ୍କୁ ତାଙ୍କ ସହିତ ପୂଜା କରାଯାଏ । ଯାହା ଦ୍ୱାରା ସେ ସ୍ଥିର ରହିଥାନ୍ତି ।
ଏହି ପୂଜା କରିବା ପାଇଁ ପ୍ରଥମେ ଆମକୁ କିଛି ସାମଗ୍ରୀର ଆବଶ୍ୟକ ହେବ । ମା ଲକ୍ଷ୍ମୀ, ଭଗବାନ ଗଣେଶ ଏବଂ କୁବେରଙ୍କର ନୂତନ ପ୍ରତିମା କିମ୍ବା ଚିତ୍ର ଏବଂ ନୂତନ ପୋଷାକ ସହ ପୂଜାରେ ଶ୍ରୀ ଯନ୍ତ୍ର, କୁବେର ଯନ୍ତ୍ର ମଧ୍ୟ ବ୍ୟବହାର କରିପାରିବେ । ଏହାସହ ନାଲି ଗୋଲାପ, କୁଶ,ଘିଅ ଦୀପ, ଗୁଡ ସହିତ ଧନିଆ ମିଶା ବୁନ୍ଦି ଲଡୁ, ମୂର୍ତ୍ତି ସ୍ଥାପନ ପାଇଁ ଚଉକି, ସୂତା, ବିଭିନ୍ନ ପରକାର ଫଳ, କ୍ଷୀର, ମହୁ, ଗଙ୍ଗା ପାଣି, ଚିନି, ଶୁଦ୍ଧ ଘିଅ , ମିଠା, ପ୍ରଦୀପ, ଧୂପ, ଅତର ଇତ୍ୟାଦି ଆବଶ୍ୟକ ହୋଇଥାଏ ।
ଲୋକକଥା ଅନୁଯାୟୀ ଏହି ଦିନରେ କିଣାଯାଇଥିବା ଜିନିଷ ୧୩ ଗୁଣା ବଢିଥାଏ । ଏଥିପାଇଁ ଏହି ଦିନ ବାସନ କୁସନ ବ୍ୟତିତ ସୁନା ରୂପା ଅଳଙ୍କାର ମଧ୍ୟ କିଣାଯାଇଥାଏ । ଯାହା ଅତି ଶୁଭ ମନାଯାଏ । ଏହି ଦିନ ଧନ୍ଵନ୍ତରୀଙ୍କୁ ପୂଜା କଲେ ଜୀବନରେ ଧନ ସମ୍ପତ୍ତିରେ ଅଭାବ ରୁହେନାହିଁ ।
ଅଧିକ ପଢ଼ନ୍ତୁ: ଆଜି କାର୍ତ୍ତିକ ବ୍ରତର ତୃତୀୟ ଦିନ...