ହରିୟାଣାର ନୁହ ଓ ସୋନିପତରେ ଧାର୍ମିକ ଶୋଭାଯାତ୍ରାକୁ ନେଇ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଶ୍ରାବଣର ଶେଷ ସୋମବାରରେ ନୁହରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜଳାଭିଷେକ ଯାତ୍ରା ଘୋଷଣା ହେବା ପରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ସେପଟେ ପ୍ରଶାସନ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେଇଥିବା ବେଳେ ଧାର୍ମିକ ଶୋଭାଯତ୍ରାକୁ ଅନୁମତି ଦେଇ ନାହିଁ । ହେଲେ ବିଶ୍ୱହିନ୍ଦୁ ପରିଷଦ ଜିଦ ଧରିଥିବାରୁ ଅଘଟଣ ଆଶଙ୍କା କରି ପ୍ରଶାସନ ପକ୍ଷରୁ ନୁହ ଓ ସୋନିପତରେ ୧୪୪ ଧାରା ଜାରି କରାଯାଇଛି । କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ରୋକ ଲଗାଇଛି ସ୍ଥାନୀୟ ପ୍ରଶାସନ । ଏଥିସହ ଗୁଜବ ପ୍ରଚାର ରୋକିବା ପାଇଁ ଇଣ୍ଟରନେଟ ସେବାଗୁଡ଼ିକ ବନ୍ଦ କରାଯିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ଆଜି ପାଇଁ ବନ୍ଦ ଘୋଷଣା କରାଯାଇଛି । ସେପେଟ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଲ କରି କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଏହାଛଡା ଯେଉଁ ସ୍ଥାନମାନଙ୍କରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି ସେହି ଅଞ୍ଚଳରେ ଡ୍ରୋନ ସହାୟତାରେ ନଜର ରଖିଛି ପୋଲିସ ପ୍ରଶାସନ । ସୀମାରେ କଡା ଚେକିଂ କରି ଗାଡିଗୁଡିକୁ ଛଡା ଯାଉଛି । ନୁହରେ ବାହାରର କୌଣସି ବ୍ୟକ୍ତିକୁ ଛଡା ଯାଉନାହିଁ ।