ତାତିର ପ୍ରକୋପ: କଟକ ଓ ରାଜଧାନୀରେ ୪୦ ଟପିଲା, ବଲାଙ୍ଗିର ସର୍ବାଧିକ ୪୫.୨
Khabar Odisha:

ଭୁବନେଶ୍ୱର,ମେ ୧୩(ଖବର ଓଡିଶା): ବିଗତ କିଛିଦିନ ଧରି ସାରା ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ପ୍ରଭାବିତ ହେଉଛି ଝାଞ୍ଜିର ପ୍ରକୋପ । ମୟୂରଭଞ୍ଜ ଠାରୁ ମାଲକାନାଗିରି, କୋଟପାଡ଼ ଠାରୁ ଟିଟିଲାଗଡ଼ ସାରା ଓଡ଼ିଶା ରୌଦ୍ରତାପରେ ସନ୍ତୁଳି ହେଉଛି । ରବିବାର ରାଜ୍ୟର ୭ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି କଟକ ଓ ରାଜଧାନୀରେ ମଧ୍ୟ ପାରଦରେ ୪୦ ଡିଗ୍ରୀ ରହିଛି । ପାରଦରେ ସର୍ବାଧିକ ୪୫.୨ ଡିଗ୍ରୀ ସହ ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ ୪୫ ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ସ୍ଥାନରେ ରହିଛି । ସେହିପରି ସମ୍ବଲପୁରରେ ୪୪.୮ ଡିଗ୍ରୀ ଥିବାବେଳେ ହୀରୀକୁଦରେ ୪୪.୧, ଝାରସୁଗୁଡା ଓ ଅନୁଗୁଳରେ ୪୩.୯, ଭବାନୀପାଟଣା ୪୩. ୫ ଡିଗ୍ରୀ,  ଭୁବନେଶ୍ୱର ୪୦.୩, କଟକରେ ୪୦.୪ ଡିଗ୍ରୀ ସେଲସିୟସ୍ ରହିଛି ।

ବର୍ତ୍ତମାନ ସମୟରେ ରାଜ୍ୟରେ ଦକ୍ଷିଣ ପଶ୍ଚିମରୁ ପବନ ବୋହୁଥିବାବେଳେ ଆସନ୍ତାକାଲିଠାରୁ ଉତ୍ତର ପଶ୍ଚିମ  ଦିଗରୁ ଉତ୍ତପ୍ତ ପବନ ବୋହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅସହ୍ୟ ତାତି ଅନୁଭୁତ ହେବା ସହ  ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି ।

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଶୀତଳତା ଦେବା ଅପେକ୍ଷା ବଜ୍ରପାତ ଘଟାଇ ଜୀବନ ନେଉଛି ।  ଶନିବାର ବଜ୍ରପାତରେ ଯାଇଥିଲା ୭ ଜୀବନ । ବିଗତ ଏକ ମାସ ଭିତରେ ଅନୁଗୁଳ ଜିଲ୍ଲାରେ ଘଟିଛି ତୃତୀୟ ଅଂଶୁଘାତ ମୃତ୍ୟୁ ।

ଗତ ମାସକ ଭିତରେ ରାଜ୍ୟର ଅନ୍ୟୁନ ୪୦ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ବହୁ ଧନଜୀବନ ନଷ୍ଟ ହୋଇଛି । ରାଜ୍ୟର ଅଭୟାରଣ୍ୟ ଗୁଡ଼ିକ ଭିତରେ ଜୀବଜନ୍ତୁଙ୍କ ପାଇଁ ପିଇବା ପାଣିର ସଙ୍କଟ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସହରରେ ଥିବା ପ୍ରାଚୀନ ପୁଷ୍କରିଣୀ, ସାଗର, ବଡ଼ଜଳାଶୟ ଶୁଖିଲା ପଡ଼ିଛି । ବଲାଙ୍ଗୀରର ପ୍ରସିଦ୍ଧ ରାମସାଗର କେବଳ ଶୁଖି ଯାଇନାହିଁ ଖେଳ ପଡ଼ିଆର ଭ୍ରମ ସୃଷ୍ଟି କରୁଛି ।  ଦୁର୍ଗମ ଅଂଚଳରେ ମୁନ୍ଦାଏ ପିଇବା ପାଣି ପାଇଁ ଲୋକଙ୍କ ହଟହଟା ବିଗତ ୧୫ ଦିନ ଧରି ରାଜ୍ୟର ପ୍ରାୟ ଅଧିକାଂଶ ଗଣମାଧ୍ୟମଗୁଡ଼ିକରେ ବ୍ୟାପକ ଚର୍ଚ୍ଚା ହୋଇଛି । ପାନୀୟ ଜଳଯୋଗାଣ ମନ୍ତ୍ରୀ ୧୫ ଦିନ ମଧ୍ୟରେ ସମସ୍ତ ଜନବସତିକୁ ପିଇବା ପାଣି ଯୋଗାଇ ଦେବାର ଘୋଷଣା କେବଳ ଲୋକ ଦେଖାଣିଆ ବୋଲି ପିଇବା ପାଣି କଷ୍ଟ ଭୋଗୁଥିବା ଗ୍ରାମବାସୀମାନେ କହିଛନ୍ତି । ତାତି, କାଳବୈଶାଖୀ, ବଜ୍ରପାତ, ଅଗ୍ନିକାଣ୍ଡ, ଜଳସଙ୍କଟ ସହିତ ବିଜୁଳିର ଲୁଚକାଳି ଚଳିତ ବର୍ଷର ରୌଦ୍ରଯନ୍ତ୍ରଣାକୁ  ଦ୍ୱିଗୁଣିତ କରିଦେଇଛି ।

 

  • Tags:

Subscribe

National International State Sports Entertainment