ନେପାଳରେ ଦୌଡ଼ିବା ପାଇଁ ବୁଦ୍ଧିଆକୁ ନିମନ୍ତ୍ରଣ
Khabar Odisha:
ଭୁବନେଶ୍ୱର, ମେ ୧୩ (ଖବର ଓଡ଼ିଶା) :ବିଶ୍ୱର ସର୍ବ କନିଷ୍ଠ  ମାରାଥନ୍ ଧାବକ ଭାବେ ଖ୍ୟାତି ସାଉଁଟିଥିବା ଓଡ଼ିଆ ପୁଅ ବୁଦ୍ଧିଆ ସିଂ ବୁଦ୍ଧ ଶାନ୍ତି ଦୌଡ଼ରେ ସାମିଲ ହେବେ ।  ନେପାଳର ଲୁମ୍ବିନି ସ୍ଥିତ କପିଳବାସ୍ତୁରେ ଆୟୋଜିତ ଏଭେରେଷ୍ଟ ମାରାଥନ ପୂର୍ବରୁ ବୁଦ୍ଧ ଶାନ୍ତି ମଶାଲ ଦୌଡ଼ରେ ଅନ୍ୟତମ ଅତିଥି ଭାବେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏଭେରେଷ୍ଟ ମାରାଥନର ଅବ୍ୟବହିତ ପୂର୍ବରୁ ମେ ୧୫ ତାରିଖରେ ବୁଦ୍ଧ ଶାନ୍ତି ମଶାଲ ଦୌଡ଼ର ଆୟୋଜନ କରାଯାଇଛି ।  ଏହି ଅବସରରେ ବୁଦ୍ଧଙ୍କ ଜନ୍ମ ପୀଠରେ ବୁଦ୍ଧିଆ ଏକ ଦୌଡ଼ରେ ସାମିଲ ହେବେ ଏବଂ ସ୍ୱୟଂମ୍ବୁନାଥ ଏବଂ ବୁଦ୍ଧନାଥଙ୍କ ଐତିହ୍ୟ ପୀଠରେ ଏଭେରେଷ୍ଟ ମାରାଥନ ପାଇଁ ପ୍ରସ୍ତୁତ ହେଉଥିବା କାଠମାଣ୍ଠୁର ମୁଖ୍ୟ ଦଳ ସହ ଯୋଗ ଦେବେ ବୋଲି  ବୁଦ୍ଧିଆଙ୍କ ଠାରୁ ଜଣାଯାଇଛି ।
 
ନେପାଳ ସରକାରଙ୍କ ପର୍ୟ୍ୟଟନ ବିଭାଗ ଅଧୀନରେ ପଞ୍ଜୀକୃତ ମାଉଂଟ୍ ଏଭେରେଷ୍ଟ ମାରାଥନ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ନାଳନ୍ଦା ବିଶ୍ୱବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଡ. ରବିନ୍ଦ୍ର ପନ୍ଥ, ନେପାଳର ଅଲିମ୍ପିଆନ୍ ବୈକୁଣ୍ଠ ମନନ୍ଧର, ମାରାଥନ୍ ଧାବକ ତଥା ଲିମ୍କା ବୁକ୍ଅଫ୍, ରେକର୍ଡଧାରୀ ସିକିମିର ଅମର ସୁଧା ପ୍ରମୁଖ ଏଥିରେ ସାମିଲ ହେବେ । ଲୁମ୍ବିନିର ବିସ୍ମୟ ବାଳିକା କ୍ରିଡାବିତ୍ ସାହାବାନୁ ମଶାଲ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବେ ।  ଅଶୋକ, କଳିଙ୍ଗ, କପିଳବାସ୍ତୁ ଏବଂ ଲୁମ୍ବିନି ମଧ୍ୟରେ ଭାବଗତ ଓ ଆଧ୍ୟାମିôକ ସଂଯୋଗ ରହିଛି । ଅଶୋକଙ୍କ ସାମ୍ରାଜ୍ୟ କଳିଙ୍ଗରୁ ବୁଦ୍ଧଙ୍କ କପିଳବାସ୍ତୁ ମଧ୍ୟରେ ଏହି ସମ୍ପର୍କକୁ ବିକଶିତ କରିବା ପାଇଁ  ଓଡ଼ିଶାରୁ ବୁଦ୍ଧିଆ ସିଂ ମଶାଲ ଶୋଭାଯାତ୍ରାରେ ଶାନ୍ତିର ବାର୍ତା ନେଇ ଐତିହ୍ୟ ସ୍ଥଳୀକୁ ପରିକ୍ରମା କରୁଥିବା ଭଳି କାର୍ୟ୍ୟକ୍ରମ ସ୍ଥିର କରାଯାଇଛି । ବୁଦ୍ଧିଆ ସିଂଙ୍କ ସହିତ ଡକ୍ଟର ଅନୀତା ସାବତ ମଧ୍ୟ ଯୋଗ ଦେଉଛନ୍ତି ।
  • Tags:

Subscribe

National International State Sports Entertainment