ପ୍ୟାରିସ୍: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଏହି କୋଠରୀରେ ଏକ ଚମତ୍କାର ଶକ୍ତି, ଉତ୍ସାହ ଅନୁଭବ କରୁଛି। ଏହା କେବଳ ଏକ ବ୍ୟବସାୟିକ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତ ଓ ଫ୍ରାନ୍ସର ଶ୍ରେଷ୍ଠ ବ୍ୟବସାୟୀ ମାନସିକତାର ସମାଗମ।
ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଇନୋଭେଟ୍, ସହଯୋଗ ଏବଂ ସମନ୍ବିତର ମନ୍ତ୍ର ଦେଇଥିଲେ। ଶିଖର ସମ୍ମିଳନୀର ରିପୋର୍ଟକୁ ମୁଁ ସ୍ୱାଗତ କରୁଛି। ମୁଁ ଦେଖୁଛି ଯେ ଆପଣମାନେ ସମସ୍ତେ ଇନୋଭେଟ୍, ସହଯୋଗ ଏବଂ ସମନ୍ୱିତ ମନ୍ତ୍ର ସହିତ କାମ କରୁଛନ୍ତି। ଆପଣ କେବଳ ସମ୍ପର୍କ ନିର୍ମାଣ କରୁନାହାଁନ୍ତି ବରଂ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ମଧ୍ୟ ସୁଦୃଢ଼ କରୁଛନ୍ତି। ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ଗତ ଦୁଇ ବର୍ଷ ମଧ୍ୟରେ ଏହା ଆମର ଷଷ୍ଠ ବୈଠକ। ଗତବର୍ଷ ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ମାକ୍ରୋନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଫଳ ଶିଖର ସମ୍ମିଳନୀ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।
୨୦୪୭ ରୋଡମ୍ୟାପ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଏବଂ ଫ୍ରାନ୍ସ କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଜଡ଼ିତ ନୁହଁନ୍ତି। ଆମ ବନ୍ଧୁତାର ମୂଳଦୁଆ ଗଭୀର ବିଶ୍ୱାସ, ଉଦ୍ଭାବନ ଏବଂ ଜନକଲ୍ୟାଣର ଭାବନା ଉପରେ ଆଧାରିତ। ଆମର ଭାଗିଦାରୀ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ନୁହେଁ। ବୈଶ୍ୱିକ ସମସ୍ୟା ଏବଂ ଆହ୍ୱାନର ସମାଧାନ ପାଇଁ ଆମେ ମିଳିତ ଭାବେ ସହଯୋଗ କରୁଛୁ। ମୋର ଗତ ଗସ୍ତ ସମୟରେ ଆମେ ଆମର ଭାଗିଦାରୀ ପାଇଁ ୨୦୪୭ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲୁ । ଏହାପରେ ଆମେ ସବୁ କ୍ଷେତ୍ରରେ ସହଯୋଗକୁ ବ୍ୟାପକ ଭାବେ ଆଗକୁ ବଢ଼ାଉଛୁ।
ଭାରତ-ଫ୍ରାନ୍ସ ସିଇଓ ଫୋରମ୍ରେ ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ନୀତିର ଏକ ଇକୋ-ସିଷ୍ଟମ୍ ପ୍ରତିଷ୍ଠା କରିଛୁ। ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରପଥଅନୁସରଣ କରି ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରେ ପରିଣତ ହୋଇଛି। ଆମେ ଖୁବଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ଦିଗରେ କାର୍ଯ୍ୟ କରୁଛୁ। ବିଶ୍ୱ ସ୍ତରରେ ଆମର ସ୍ୱୀକୃତି ହେଉଛି ଯେ ଆଜି ଭାରତ ଦ୍ରୁତ ଗତିରେ ଏକ ପସନ୍ଦର ବିଶ୍ୱ ନିବେଶ ସ୍ଥାନରେ ପରିଣତ ହେଉଛି। ଆମେ ଭାରତରେ ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ ମିଶନ ଆରମ୍ଭ କରିଛୁ ଏବଂ ଆମେ ପ୍ରତିରକ୍ଷା କ୍ଷେତ୍ରରେ 'ମେକ୍ ଇନ୍ ଇଣ୍ଡିଆ' ଏବଂ 'ମେକ୍ ଫର୍ ଦି ୱାର୍ଲ୍ଡ'କୁ ପ୍ରୋତ୍ସାହିତ କରୁଛୁ।
ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମେ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଞ୍ଚୁଛୁ। ଏହି କ୍ଷେତ୍ରକୁ ଭାରତରେ ଏଫଡିଆଇ ପାଇଁ ଖୋଲାଯାଇଛି। ଆମେ ଦ୍ରୁତ ଗତିରେ ଭାରତକୁ ଏକ ବିଶ୍ୱ ବାୟୋଟେକ୍ ପାୱାରହାଉସରେ ପରିଣତ କରୁଛୁ। ଭିତ୍ତିଭୂମି ବିକାଶ ଆମ ପାଇଁ ଏକ ପ୍ରାଥମିକତା ଏବଂ ଆମେ ବାର୍ଷିକ ପ୍ରାୟ ୧୧୪ ବିଲିୟନ ଡଲାର ଖର୍ଚ୍ଚ କରୁଛୁ। ବୈଷୟିକ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ଆମେ ରେଳବାଇର ଏକ ବିଶାଳ ନେଟୱାର୍କକୁ ବିସ୍ତାର କରୁଛୁ ଏବଂ ଏହାର ଆଧୁନିକୀକରଣ କରୁଛୁ।
ଅଧିକ ପଢ଼ନ୍ତୁ: ତ୍ରିବେଣୀ ସଂଗମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼