ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ଶୁଳ୍କ ବିନା କୌଣସି ରିହାତିରେ ୨୫ ପ୍ରତିଶତକୁ ବୃଦ୍ଧି କରାଯିବ। ଏହା ଦ୍ୱାରା ଆମେରିକୀୟ ଉଦ୍ୟୋଗଗୁଡ଼ିକୁ ବିଶ୍ୱ ପ୍ରତିଯୋଗିତାରୁ ମୁକ୍ତି ମିଳିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ତେବେ ଏହି ପଦକ୍ଷେପ ନୂଆ ବାଣିଜ୍ୟ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।
ଏହାର ଜବାବ ଦେବ ବୋଲି ୟୁରୋପୀୟ ସଂଘ (ଇୟୁ) କହିଛି। ଏଥିପାଇଁ ଦୃଢ଼ ପଦକ୍ଷେପ ନିଆଯିବ। ଇତିମଧ୍ୟରେ କାନାଡା ଏହି ଶୁଳ୍କକୁ ସମ୍ପୂର୍ଣ୍ଣ ଅଯଥା ବୋଲି କହିଛି। ଇସ୍ପାତ ଏବଂ ଆଲୁମିନିୟମ ଉପରେ ଶୁଳ୍କ ଲାଗୁ କରିବା ସଂକ୍ରାନ୍ତ ଏକ ନିର୍ଦ୍ଦେଶନାମାରେ ଆମେରିକା ରାଷ୍ଟ୍ରପତି ସ୍ୱାକ୍ଷର କରିଛନ୍ତି। ଏହି ଆଦେଶରେ ରିହାତି ଏବଂ କୋଟା ଚୁକ୍ତିକୁ ଉଚ୍ଛେଦ କରିବାର ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ।
ଟ୍ରମ୍ପଙ୍କ ଏହି ପଦକ୍ଷେପ ଦ୍ୱାରା କାନାଡା, ବ୍ରାଜିଲ, ମେକ୍ସିକୋ, ଦକ୍ଷିଣ କୋରିଆ ଏବଂ ଅନ୍ୟାନ୍ୟ ଦେଶରୁ ଆମଦାନୀ ହେଉଥିବା ଲକ୍ଷ ଲକ୍ଷ ଟନ୍ ଇସ୍ପାତ ଏବଂ ଆଲୁମିନିୟମ ଉପରେ ଶୁଳ୍କ ଲାଗୁ ହେବ। ପୂର୍ବରୁ ଏହି ଦେଶଗୁଡ଼ିକ ଆମେରିକାର ଶୁଳ୍କ ମୁକ୍ତ ବର୍ଗରେ ଥିଲେ।
ହ୍ୱାଇଟ୍ ହାଉସର ଓଭାଲ୍ ଅଫିସ୍ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ପଦକ୍ଷେପ ଧାତୁ ଉପରେ ଶୁଳ୍କକୁ ସରଳ କରିବ। ଏହା ଦ୍ୱାରା ସମସ୍ତେ ଏହାର ଅର୍ଥ ବୁଝିପାରିବେ। ବିନା କୌଣସି ରିହାତିରେ ଏହା ୨୫ ପ୍ରତିଶତ ହେବ। ଏହା ସବୁ ଦେଶ ପାଇଁ।
ତେବେ ଆମେରିକା ସହ ବାଣିଜ୍ୟ ନିଅଣ୍ଟ ଯୋଗୁଁ ଇସ୍ପାତ ଉପରେ ଶୁଳ୍କ ଛାଡ଼ ପାଇଁ ଅଷ୍ଟ୍ରେଲିଆର ଅନୁରୋଧକୁ ସେ ବିଚାର କରିବେ ବୋଲି କହିଛନ୍ତି। ଶୁଳ୍କ ଉପରେ ଅନ୍ୟ ଦେଶର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଚରାଯିବାରୁ ଆମେରିକୀୟ ରାଷ୍ଟ୍ରପତି କହିଛନ୍ତି, ମୁଁ ଏଥିପ୍ରତି ଧ୍ୟାନ ଦେଉନାହିଁ।
ହ୍ୱାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଏହି ନିୟମ ମାର୍ଚ୍ଚ ୪ରୁ ଲାଗୁ ହେବ। ଇସ୍ପାତ ଓ ଆଲୁମିନିୟମ ଉପରେ ଆମେରିକାର ଶୁଳ୍କକୁ ନେଇ ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେୟେନ୍ ମଙ୍ଗଳବାର କହିଛନ୍ତି। ୨୭ଟି ଦେଶର ଏହି ଗୋଷ୍ଠୀକୁ କଡ଼ା ଜବାବ ଦେବାକୁ ପଡ଼ିବ। କାନାଡାର ଶିଳ୍ପ ମନ୍ତ୍ରୀ ଫ୍ରାନକୋଇସ୍-ଫିଲିପ୍ ସାମ୍ପେନ୍ କହିଛନ୍ତି ଯେ ଆମେରିକାର ଶୁଳ୍କ ସମ୍ପୂର୍ଣ୍ଣ ଅନ୍ୟାୟ। ଟ୍ରମ୍ପ ମଧ୍ୟ ବିଭିନ୍ନ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବା କଥା ଉଲ୍ଲେଖ କରିଛନ୍ତି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପାରସ୍ପରିକ ଶୁଳ୍କ ଘୋଷଣା କରିବେ ବୋଲି ସେ କହିଛନ୍ତି। ତେବେ ପରସ୍ପର ଶୁଳ୍କ କାହା ଉପରେ ଲାଗୁ ହେବ ତାହା ସେ ସ୍ପଷ୍ଟ କରିନଥିଲେ ମଧ୍ୟ ଯେଉଁ ଦେଶ ଆମେରିକା ଉପରେ ଅଧିକ ଶୁଳ୍କ ଲଗାଇବ, ତା' ବଦଳରେ ସମାନ ଶୁଳ୍କ ଲାଗିବ ବୋଲି ସଙ୍କେତ ଦେଇଛନ୍ତି। ଏହି ପଦକ୍ଷେପ ମଧ୍ୟ ଭାରତକୁ ଛାଡିବ ନାହିଁ।
ଅଧିକ ପଢ଼ନ୍ତୁ: ଭାରତ ସହ ମିଶି ଏହି ବଡ କାମ କରିବାକୁ ଯାଉଛି ଗୁଗୁଲ