ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ , ଆଜି ଗୋଟିଏ ଦିନରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ୩୭ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ରବିବାର ଦିନ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ୩ ଆଉ ଗତକାଲି ୧୦ ଜଣ ଥିବା ବେଳେ ଆଜି ୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ହେଲେ ଏବେ ସୁନ୍ଦରଗଡ଼ରେ ୨୦୦ ପାର କଲାଣି ପଜିଟିଭ ସଂଖ୍ୟା । ତେବେ ଗତ ୧୦ ଦିନ ପୂର୍ବେ ସ୍କ୍ରବ ଟାଇଫସରେ ସୁନ୍ଦରଗଡର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ସେ କହିଛନ୍ତି, ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯାଇଛି । ଏହା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ହୋଇରହିଛନ୍ତି । ସେହିଭଳି ଜିଲ୍ଲପାଳଙ୍କ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସମସ୍ତ ଏଏନଏମ , ପିଏସଚସି ଓ ସିଏଚସି ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସ୍ଥିତିକୁ ନଜରରେ ରଖି ତ୍ୱରିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଚିଗର୍ କାମୁଡ଼ିବା ଦ୍ୱାରା ସଂକ୍ରମିତ ହୋଇଥାଏ । ସ୍କ୍ରବ୍ ଟାଇଫସ୍ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯାଉଛି । ଏହି ରୋଗ ବିଷୟରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା ଏବଂ ସହାୟକ ନର୍ସ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି ।
ଓଡିଶାରେ ଏହି ରୋଗ ବ୍ୟାପିବାରୁ ଏପର୍ଯ୍ୟନ୍ତ ୭ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ସେହିଭଳି ବରଗଡ ଜିଲ୍ଲାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରେ ଜଣେ ବ୍ୟକ୍ତି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ତିନିଜଣିଆ ଡାକ୍ତରୀ ଦଳ ପଠାଇ ପରିସ୍ଥିତି ଉପରେ ନଜର ରଖିବା ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ଆଗକୁ ପଢନ୍ତୁ :- ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ