Puri:06/12/2022:
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଙ୍କୁ ସିଂହଦ୍ୱାର ଥାନା ପକ୍ଷରୁ ନୋଟିସ ଜାରି କରାଯାଇଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ ସେନେଇ ସ୍ୱତନ୍ତ୍ର ନିୟମ ରହିଛି । ଏହି ନିୟମ ସମସ୍ତେ ପାଳନ କରିବା ଉଚିତ୍ ବୋଲି ଏସପି କହିଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କରି ଅଭିଯୁକ୍ତ ଅନିମେଶ ଶ୍ରୀମନ୍ଦିର ଉପରେ କିଭଳି ଡ୍ରୋନ୍ ଉଡାଇଲା ସେନେଇ ସବିଶେଷ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୂର୍ବରୁ ‘ଭଏସ୍ ଅଫ କମନମ୍ୟାନ’ ସଙ୍ଗଠନ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିଲା ।
ପୋଲିସର ବିନା ଅନୁମତିରେ ଅନିମେଶ କିଭଳି ଭାବେ ତାଙ୍କ ୟୁଟ୍ୟୁବ ଭିଡିଓରେ ପୋଲିସର ଲୋଗୋ ବ୍ୟବହାର କରିଥିଲେ ସେନେଇ ମଧ୍ୟ ତଦନ୍ତ କରାଯାଉଛି । ସିଟି ଡିଏସପିଙ୍କ ନେତୃତ୍ୱରେ ତିନିଜଣ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଠାରୁ ସବିଶେଷ ତଥ୍ୟ ହାସଲ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।