ବିଜେପିରେ ଯୋଗଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହେଲେ। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ମଧ୍ଯ ବିଜେପିରେ ମିଶିଛନ୍ତି।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।ଏହି ଅବସରରେ ପର୍ଶୁରାମଙ୍କର ଘରବାହୁଡ଼ା ହୋଇଛି ବୋଲି କହିଛନ୍ତି ମନମୋହନ ସାମଲ।
ଯୋଗଦେବା ପରେ ଶ୍ରୀ ଧଡା କହିଛନ୍ତି ଦଳ ଯାହା ଦାୟିତ୍ୱ ଦେବ, ତାକୁ ସୂଚାରୁ ରୂପେ ତୁଲାଇବି। ଦଳର ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିବି। ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ଗ୍ରହଣ କରିବି।
ସୂଚନାଯୋଗ୍ୟ, ଶ୍ରୀ ଧଡ଼ା ସୋର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥରକ ମଧ୍ୟ ଟିକେଟ ପାଇବା ନେଇ ସେ ଅଶାବାଦୀ ଥିଲେ। ହେଲେ, ତାଙ୍କ ବଦଳରେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ାଙ୍କୁ ଦଳ ପ୍ରାର୍ଥୀ କରିବାପରେ ସେ ଗତ ୩ ତାରିଖ ଦିନ ବିଜେଡିରୁ ଇସ୍ତଫା ଦେଇଥିଲେ।