ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ଅରଖପାଳ ଗ୍ରାମରେ ଦେଖିବାକୁ ମିଳିଛି ବିଶାଳ ଶୋଭାଯାତ୍ରା। ଏହି ଶୋଭାଯାତ୍ରା ଅରଖପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ତ୍ରିପାଠୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ହୋଇଥିବା ବେଳେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଏହି ଅବସରରେ ଫୁଲରେ ସଜ୍ଜା ହୋଇଥିବା ଏକ ଖୋଲା ଜିପ ଯୋଗେ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ବସାଇ ସମ୍ପୂର୍ଣ୍ଣ ଖୁରୁସିଆ ଗ୍ରାମ ପରିଭ୍ରମଣ କରାଯାଇଥିଲା।
ସେହିପରି ବିଦ୍ୟାଳୟ ପରିସରରେ ସମସ୍ତ ନୂତନ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କୁ ବିଦାୟ ଦେଇଥିଲେ ଛାତ୍ର ଛାତ୍ରୀ। ସେହି ସ୍କୁଲରେ ଦୀର୍ଘ ସମୟ ଧରି ଶ୍ରୀ ତ୍ରିପାଠୀଙ୍କ ଅବଦାନ ପାଇଁ ଏପରି ଆୟୋଜନ କରାଯାଇଥିଲା। ୧୯୯୦ ମସିହା ଜୁଲାଇ ମାସରେ ପ୍ରଧାନ ଶିକ୍ଷକ ଅରୁଣ ତ୍ରିପାଠୀ ଗଞ୍ଜାମ ଜିଲ୍ଲା ଉଙ୍ଗୁରି ଧର୍ମଶରଣପୁର ଗାଁରୁ ଆସି ଅରଖପାଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରିଥିଲେ। ତେବେ ସେତେବେଳେ ବିଦ୍ୟାଳୟର ରୂପରେଖ ସମ୍ପୂର୍ଣ୍ଣ ଅଲଗା ଥିଲା। କିନ୍ତୁ ଶ୍ରୀ ତ୍ରିପାଠୀ ନିଜର ୩୪ ବର୍ଷ ଶିକ୍ଷକ ଜୀବନକାଳରେ ବିଦ୍ୟାଳୟର ରୂପ ରେଖ ପରିବର୍ତ୍ତନ କରିବା ସହିତ ଅନେକ ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।
ଶ୍ରୀ ତ୍ରିପାଠୀଙ୍କର ଶିକ୍ଷକ ଜୀବନ ଯେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା ସେଇଠି ହିଁ ଶେଷ ହୋଇଥିବାରୁ ଏହାକୁ ନେଇ ବିଦ୍ୟାଳୟର ପୁରାତନ ଓ ନୂତନ ଛାତ୍ର ଛାତ୍ରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ଭାବ ବିହ୍ଵଳ ବିଦାୟ ଦେଇଛନ୍ତି।
ଅଧିକ ପଢନ୍ତୁ: ତେଜସ୍ ମାର୍କ-୧ଏର ସଫଳ ପରୀକ୍ଷଣ