ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ଏସିଆ କପ୍ ୨୦୨୫ର ୫ମ ମୁକାବିଲା ଖେଳାଯାଉଛି । ଏହି ମ୍ୟାଚରେ ମଧ୍ୟ ସମସ୍ତଙ୍କ ନଜର ଦୁଇ ଦଳର ଅଧିନାୟକଙ୍କ ଉପରେ ରହିଥିଲା । କାରଣ ପହଲଗାମ ହମଲା ପରଠୁ ଭାରତ କ୍ରିକେଟ ମଇଦାନରେ ପାକିସ୍ତାନ ପ୍ରତି ଅଲଗା ଆଭିମୁଖ୍ୟ ରଖି ଆସିଛି ।
ମ୍ୟାଚ୍ ଯେ କୌଣସି ସ୍ତରରେ ହେଉ ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ନା କରମର୍ଦ୍ଦନ କରୁଛନ୍ତି ନା କଥାବାର୍ତ୍ତା ହେଉଛନ୍ତି । ଏହି ମାମଲାରେ ହସସ୍ତକ୍ଷେପ କରି ଆଇସିସି ଜୁନିୟର ସ୍ତରରେ କ୍ରିକେଟରୁ ରାଜନୀତିକୁ ଦୂରରେ ରଖିବା ପାଇଁ ଅନୁରୋଧ କରିଥିଲା । ହେଲେ ବିସିସିଆଇ ଆଇସିସିର ଏହି ଅନୁରୋଧକୁ ଅଣଦେଖା କରିଛି । ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ୍ ସମୟରେ ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇ ନାହାନ୍ତି ।
ଏହି ବଡ ମ୍ୟାଚ୍ ପୂର୍ବରୁ ପିଟିଆଇ ରିପୋର୍ଟରୁ ଜଣା ପଡିଥିଲା ଯେ, ଆଇସିସି ୧୯ ବର୍ଷରୁ କମ କ୍ରିକେଟରେ ରାଜନୀତିକୁ ଦୂରରେ ରଖିବାକୁ ଚାହୁଁଥିଲା । ଭାରତକୁ କରମର୍ଦ୍ଦନ ନ କରିବା ନୀତିକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲା । ହେଲେ ଆଇସିସିର କଥାକୁ ଶୁଣିନି ବିସିସିଆଇ । ଭାରତୀୟ ସେନା ଓ ପହଲଗାମ ଆତଙ୍କୀ ହମଲାର ପୀଡିତଙ୍କ ପ୍ରତି ଏକଜୁଟତା ଦେଖାଇବା ପାଇଁ ଭାରତୀୟ ଦଳ ଏହି ପଦକ୍ଷେପ ଆପଣେଇ ଆସିଛି । ଏହା ସିନିୟର ଏସିଆ କପରୁ ଆରମ୍ଭ ହୋଇଥିଲା, ଯାହା ପରେ ମହିଳା ଦିନିକିଆ ବିଶ୍ୱକପ ଓ ରାଇଜିଂ ଷ୍ଟାର୍ସ ଏସିଆ କପ୍ ଟି-୨୦ରେ ମଧ୍ୟ ଜାରି ରହିଛି ।
ଋବିବାର ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ୍ ସମୟରେ ପାକିସ୍ତାନର ଅଧିନାୟକଙ୍କ ସହ କରମର୍ଦ୍ଦନ କରି ନାହାନ୍ତି । ଯେବେ ପାକିସ୍ତାନର ଅଧିନାୟକ ଫରହାନ ୟୁସୁଫ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲେ ସେହି ସମୟରେ ମହାତ୍ରେ ବିନା ହାତ ମିଳାଇ ତାଙ୍କ ପଛରେ ଛିଡା ହୋଇଥିଲେ । ଉପସ୍ଥାପକଙ୍କ ସହ କଥା ହେବା ପରେ ୟୁସୁଫ ବିନା ଆଖି ମିଶାଇ ମାଇକ୍ରୋଫୋନକୁ ମହାତ୍ରେଙ୍କ ହାତରେ ଧରାଇ ଦେଇଥିଲେ ।
ଉଲ୍ଲେଖନୀୟ ପାକିସ୍ତାନ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବର୍ଷା କାରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ତେଣୁ ମ୍ୟାଚ୍ ୪୯-୪୯ ଓଭର କରାଯାଇଛି ।
Also read: 'ଧୁରନ୍ଧର' ଫିଲ୍ମ ବିରୋଧରେ ପାକିସ୍ତାନ କୋର୍ଟରେ ଆବେଦନ