ଖବର ଓଡ଼ିଶା: ଗରିବ ପିଲା ହେଲେ ବି ସିଏ ବି ଭଲ ସ୍କୁଲରେ ପାଠ ପଢ଼ିବ । ନବୋଦୟ ଭଳି ସ୍କୁଲରେ ପଢ଼ିବାକୁ ନିଜକୁ ପ୍ରସ୍ତୁତ କରି ପାରିବେ । ଯଦି ଏକ ଗରିବ ଶ୍ରେଣୀରେ ପିଲା ପାଠ ପଢ଼ିବାକୁ ଚାହୁଁଥିବ ତେବେ ଅର୍ଥ ତା ପାଇଁ ଆଉ ବାଧକ ସାଜିବ ନାହିଁ, କାରଣ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ଆଗେଇ ଆସିଛି ଆମ୍ବେଦକର ଯୁବକ ସଂଘ । ସମାଜର ଗରିବ ଶ୍ରେଣୀର ପରିବାର ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦେବାକୁ ସମ୍ବଲପୁର ସହରରେ କରାଯାଇଛି ଅଭିନବ ପ୍ରୟାସ ।
ସମ୍ବଲପୁର ମୋଦିପଡ଼ାଠାରେ ଥିବା ଆମ୍ବେଦକର ଭବନ ଠାରେ ଆରମ୍ଭ କରାଯାଇଛି ଅଂଶୁପ୍ରିୟା ସୁରୁଜାଲ ଫ୍ରୀ କୋଚିଂ ସେଣ୍ଟର । ମାଗଣାରେ ପିଲାଙ୍କୁ ଶିକ୍ଷା ଦାନ ଦିଆଯାଉଛି । ବର୍ତ୍ତମାନ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପ୍ରତିଦିନ ସଂଧ୍ୟାରେ ପାଠ ପଢ଼ାଯାଉଛି । ତିନି ଜଣ ଅଭିଜ୍ଞ ଶିକ୍ଷକ ଶିକ୍ଷା ଦାନ କରୁଛନ୍ତି । ମୁଖ୍ୟତଃ ନବୋଦୟ ବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି । ଏହି ଶିକ୍ଷା କେନ୍ଦ୍ରରେ ତୃତୀୟ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ କୋଚିଂ ଦେବାକୁ ବ୍ୟବସ୍ଥା ହୋଇଛି । କେବଳ ପାଠପଢ଼ା ନୁହେଁ ବରଂ ସବୁ ଆନୁସଙ୍ଗିକ ବ୍ୟବସ୍ଥାକୁ ମଧ୍ୟ ନିଶୁଳ୍କରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥାଏ ।
ଅଂଶୁପ୍ରିୟା ସୁରୁଜାଲ ଯିଏ କି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରୁଥିଲେ । ମାତ୍ର ତାଙ୍କର ଅକାଳ ବିୟୋଗ ପରେ ଆମ୍ବେଦକର ଯୁବକ ସଂଘ ଗରିବ ପିଲାଙ୍କ ପାଇଁ ଆଗେଇ ଆସିଛି । ସ୍ୱର୍ଗତ ଅଂଶୁପ୍ରିୟା ସୁରୁଜାଲଙ୍କ ସ୍ତୁତିରେ ଏହି ମାଗଣା କୋଚିଂ ସେଣ୍ଟରରେ ପିଲାଙ୍କ ପାଇଁ ଆରମ୍ଭ କରାଯାଇଛି ।
ବାସ୍ତବିକଭାବେ କହିବାକୁ ଗଲେ ଆଜିର ବ୍ୟୟ ବହୁଳ ଦୁନିଆରେ ଗୋଟାଏ ଭଲ କୋଚିଂ ସେଣ୍ଟରରେ ପାଠ ପଢ଼ିବାରୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ବଞ୍ଚିତ ହେଉଛନ୍ତି । କିନ୍ତୁ ଅଂଶୁପ୍ରିୟା ଫ୍ରୀ କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆର୍ଶୀବାଦ ସଦୃଶ ହୋଇଛି ।