ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର କୋଲକାତା ଡାକ୍ତର ମାମଲାରେ ଚତୁର୍ଦ୍ଦିଗର ଆକ୍ରୋଶର ଶୀକାର ହୋଇଛନ୍ତି । ତେଣୁ ସେ ଆଜି ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବିଲ୍ ଆଗତ କରି ଦେଶବାସୀଙ୍କୁ ଚକିତ କରି ଦେଇଛନ୍ତି । ଯେଉଁ ବିଲର ନାଁ ରହିଛି 'ଅପାରାଜିତା ମହିଳା ଏବଂ ଶିଶୁ ବିଲ୍' । ଏହି ବିଲ ଆଗତ ବେଳେ ସେ ବିଜେପି ଶାସିତ ରାଜ୍ୟକୁ କଡ଼ା ସମାଲୋଚନା କରିଛନ୍ତି ମମତା ଦିଦି । ସେ ବିଧାନସଭାରେ ମନ ଇଚ୍ଛା ବାହାସ୍ପଟ ଗପ ଗପିଛନ୍ତି । ସେ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ଗୁଜରାଟ ଭଳି ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧର ହାର ଅଧିକ ଅଟେ, ପଶ୍ଚିମବଙ୍ଗରେ ଦୁଷ୍କର୍ମ ମାମଲାରେ ମହିଳାମାନେ କୋର୍ଟରେ ନ୍ୟାୟ ପାଇଛନ୍ତି । ତେବେ ମମତା କେତେ ସତ ଆଉ କେତେ ମିଛ କହୁଛନ୍ତି ତାହା ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି)ର ତଥ୍ୟରୁ ସ୍ପଷ୍ଟ ହୋଇଛି ।
ଏନସିଆରବିର ତଥ୍ୟ ଅନୁଯାୟୀ ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ସର୍ବାଧିକ ବିଚାରାଧୀନ ରହିଛି । ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବହୁତ କମ୍ ଅଟେ । ଭାରତରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ୨୦୨୧ ମସିହାରେ ୨୬.୫ ପ୍ରତିଶତ ରହିଥିଲା, ଯାହା ୨୦୨୦ ରେ ୨୯.୮ ପ୍ରତିଶତ ଥିଲା । ମାମଲାଗୁଡ଼ିକର ପଡ଼ି ରହିବା ହାର ୯୫ ପ୍ରତିଶତ । ଏହାର ଅର୍ଥ ହେଉଛି ଅଦାଲତ କେବଳ ୫ ପ୍ରତିଶତ ମାମଲାର ସମାଧାନ କରିବାରେ ସକ୍ଷମ ହୋଇଛନ୍ତି ।
ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଦେଶର ସାତୋଟି ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ୧୦ ପ୍ରତିଶତରୁ କମ୍ ଅଟେ । ଯେଉଁଥିରେ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ରହିଛି । ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରେ ସବୁଠୁ ଆଗରେ ପଶ୍ଚିମବଙ୍ଗ । ମମତାଙ୍କ ସରକାର ମାତ୍ର ୨.୫ ପ୍ରତିଶତ ମାମଲାରେ ମହିଳାଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଛି । ପଶ୍ଚିମବଙ୍ଗ ତଳକୁ ଆସାମ, ଗୁଜୁରାଟ, ଗୋଆ ଏବଂ ଆନ୍ଧ୍ରପ୍ରଦେଶ ରହିଛନ୍ତି ।
ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ମହିଳା ବିରୋଧୀ ଅପରାଧରେ ମୋଟ ୨୧,୨୧,୭୫୫ ମାମଲା ପଞ୍ଜୀକୃତ ହୋଇଥିଲା, ସେଥିମଧ୍ୟରୁ ୨୩,୨୪୩ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୬୦,୨୯୦ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସର୍ବାଧିକ ମହିଳା ବିରୋଧୀ ମାମଲା ପଶ୍ଚିମବଙ୍ଗ (୩,୩୭,୯୨୪) ଏବଂ ସବୁଠୁ କମ୍ ଲଦାଖ (୪୧) ରୁ ଆସିଥିଲା । ୨୦୨୧ ମସିହାରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ପାଇଁ ୪,୨୮,୮୦୬ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ୫,୫୫,୦୮୯ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏଥିମଧ୍ୟରୁ ୩୩,୭୨୫ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୧,୦୭,୩୨୪ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।
ସାମାଜିକ ନିନ୍ଦା କାରଣରୁ ଦାୟର ହେଉ ନାହିଁ ବଳାତ୍କାର ମାମଲା
ବଳାତ୍କାର ମାମଲା ବିଷୟରେ କହିବାକୁ ଗଲେ, ୨୦୨୧ ରେ ୩୦,୦୧୬ ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା, ଯାହା ମଧ୍ୟରୁ ଅଧିକାଂଶ ରାଜସ୍ଥାନରୁ ଆସିଥିଲା (୬,୩୩୭) । ଏହା ପରେ ମଧ୍ୟପ୍ରଦେଶ (୨,୯୪୭), ଉତ୍ତରପ୍ରଦେଶ (୨,୮୪୫) ଏବଂ ମହାରାଷ୍ଟ୍ର (୨,୪୯୬) ରହିଛନ୍ତି । କୁହାଯାଏ ଯେ ଏହି ସଂଖ୍ୟା ପ୍ରକୃତ ଆକଳନଠାରୁ ବହୁତ କମ୍ ଅଟେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (୨୦୧୫-୧୬) ଉପରେ ଆଧାର କରି, ଭାରତରେ ୯୯ ପ୍ରତିଶତରୁ ଅଧିକ ବଳାତ୍କାର ମାମଲା ରିପୋର୍ଟ ହୋଇନାହିଁ । ଯାହାର ପ୍ରମୁଖ କାରଣ ହେଉଛି ସାମାଜିକ କଳଙ୍କ ଏବଂ ପ୍ରତିଶୋଧର ଭୟ ।
ନିର୍ଭୟା ଗଣ ଦୁଷ୍କର୍ମ ପରେ ବଦଳିଲା ଆଇନ, କମିନି ଦୁଷ୍କର୍ମ ମାମଲା
୨୦୧୨, ଡିସେମ୍ବର ନିର୍ଭୟା ମାମଲାରେ ଦୁଷ୍କର୍ମ ସହ ଜଡିତ ଆଇନରେ ପରିବର୍ତ୍ତନ ଆସିଥିଲା । ବଳାତ୍କାରର ସଂଜ୍ଞା ମଧ୍ୟ ବଦଳିଗଲା । ବର୍ତ୍ତମାନ ଶରୀରର ଯେକୌଣସି ଅଙ୍ଗ ସହିତ ଯୌନ କାର୍ଯ୍ୟକଳାପକୁ ବଳାତ୍କାର ବୋଲି ବିବେଚନା କରାଯିବ । ଏହା ବ୍ୟତୀତ ୨୦୧୩ ପରେ ନିରେଖୀ ଦେଖିବା, ଅଶ୍ଳୀଳ ପ୍ରଦର୍ଶନ ଏବଂ ଏସିଡ୍ ଆକ୍ରମଣ ଭଳି ଅପରାଧରେ ମଧ୍ୟ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି। ତଥାପି ଦେଶରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୨୦୨୨ ମସିହାରେ ମହିଳାଙ୍କ ବିରୋଧରେ ମୋଟ ୪,୪୫, ୨୫୬ ମାମଲା ପଞ୍ଜିକୃତ ହୋଇଥିଲା, ଯାହା ୨୦୨୧ ତୁଳନାରେ ୪ ପ୍ରତିଶତ ଅଧିକ । ଅର୍ଥାତ୍ ପ୍ରତି ଘଣ୍ଟାରେ ୫୧ ମହିଳାଙ୍କ ବିରୋଧରେ ଅପରାଧ ହୋଇଥିଲା ।