ବଲାଙ୍ଗୀର: ଭାରତୀୟ ମହିଳା କ୍ରିକେଟ ଦଳର ସ୍ପିନର୍ ତଥା ଓଡ଼ିଆ ଝିଅ ରୋଶନାରା ପରୱିନ ଅବସର ଗ୍ରହଣ କରିଛନ୍ତି । ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।
୩୩ ବର୍ଷିୟା ରୋଶନାରା ପରୱିନ ବଲାଙ୍ଗୀରର ମୂଳବାସିନ୍ଦା ଅଟନ୍ତି । ଦୀର୍ଘ ୧୫ ବର୍ଷ ଧରି କ୍ରିକେଟ୍ ସହିତ ଯୋଡ଼ି ହୋଇଥିଲେ । ୨୦୧୨, ଅକ୍ଟୋବରରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପରେ ସ୍ଥାନ ପାଇଥିଲେ । ସେ ଶ୍ରୀଲଙ୍କା ଏବଂ ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିଥିଲେ । ସେହିପରି ୨୦୧୩ରେ ମହିଳା କ୍ରିକେଟ ଦିନିକିଆ ବିଶ୍ୱ କପରେ ଦଳରେ ସ୍ଥାନ ପାଇଥିଲେ । ସେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ଭାରତୀୟ ଦଳ ପକ୍ଷରୁ ଗୋଟିଏ ଦିନିକିଆ ଏବଂ ୨ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ବିଶ୍ୱକପରେ ୨ଟି ମ୍ୟାଚ୍ ଖେଳି ୪ଟି ୱିକେଟ୍ ନେଇଥିଲେ । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ମାତ୍ର ୧୫ ରନ ଦେଇ ୨ଟି ୱିକେଟ୍ ନେଇଥିଲେ ।
୧୯୯୨, ମେ ୪ରେ ରୋଶନାରା ବଲାଙ୍ଗୀର ବିଭୂତିପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ନାଁ କେଫାତୁଲ୍ଲାହ ଖାନ ଏବଂ ମା ହୁସନାରା ବେଗମ୍ । ୨୦୧୦ରେ ରୋଶନାରା କ୍ରିକେଟରେ କ୍ୟାରଅର୍ ଆରମ୍ଭ କରିଥିଲେ । ସେ ତାଙ୍କ କ୍ରିକେଟ୍ ଜୀବନରେ ମୋଟ ୩ଟି ଅନ୍ତର୍ଜାତୀୟ ଏବଂ ୮୦ଟି ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେଥିମଧ୍ୟରୁ ବରିଷ୍ଠ ବର୍ଗରେ ୨୭ଟି ଦିନିକିଆ ଏବଂ ୪୪ଟି ଟି-ଟ୍ୱେଣ୍ଟି ମ୍ୟାଚ ଜାତୀୟ ସ୍ତରରେ ଖେଳିଛନ୍ତି ।