ଭୁବନେଶ୍ୱର: ରାଜ୍ୟରେ ଯେବେଠାରୁ ବିଜେପି ସରକାର ଆସିଛି ମହିଳାଙ୍କୁ ସଶକ୍ତ କରିବାକୁ ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଛନ୍ତି । ପ୍ରଥମେ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ଦେବା ପରେ ଏବେ ମହିଳାଙ୍କୁ କାର୍ କିଣାଇ ଦେଇ ସ୍ୱାବଲମ୍ବୀ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ମହିଳାଙ୍କୁ ବିନା ସୁଧରେ କାର୍ ପାଇଁ ଋଣ ଯୋଗାଇ ଦେବେ । ଏଥିପାଇଁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି “ଆତ୍ମନିର୍ଭର ମହିଳା ସୁବାହକ ଯୋଜନା” ବା “ଆମ ସୁବାହକ”।
ମୋହନ ସରକାର ‘ଆମ ସୁବାହକ’ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଗାଡ଼ି ଚାଳନାରେ ଲିଙ୍ଗଗତ ପାର୍ଥକ୍ୟକୁ ଦୂର କରି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଏହି ଯୋଜନାର ଉଦ୍ଦେଶ୍ୟ ରହିଛି । ସରକାର ମହିଳାମାନଙ୍କ ଆୟ ବଢ଼ାଇବାକୁ ସେମାନଙ୍କୁ ଚାରି ଚକିଆ ଯାନ ଯୋଗାଇ ଦେବେ । ଚାରି ବର୍ଷରେ ୧୧୦୦ ମହିଳାଙ୍କୁ କାର୍ ପାଇଁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି । ପ୍ରଥମ ବର୍ଷରେ ୨୦୦, ଦ୍ୱିତୀୟ ବର୍ଷରେ ୨୫୦, ତୃତୀୟ ବର୍ଷରେ ୩୦୦ ଏବଂ ଚତୁର୍ଥ ବର୍ଷରେ ୩୫୦ ଜଣ ମହିଳା କାର୍ କିଣିବାକୁ ସୁଯୋଗ ପାଇବେ । ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ମିଳିବ । ବାର୍ଷିକ ୧୧ ପ୍ରତିଶତ ହାର କିସ୍ତିରେ ୫ ବର୍ଷରେ ଏହି ଋଣ ପରିଶୋଧ କରିବେ । ଏଥିପାଇଁ ଉକ୍ତ ମହିଳାଙ୍କୁ ମାଗଣାରେ ରାଜ୍ୟ ସଡ଼କ ସୁରକ୍ଷା ଏବଂ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ତାଲିମ୍ ଦିଆଯିବ । ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକଲ୍ ନୀତି ଅନୁଯାୟୀ ଇଲେକ୍ଟ୍ରିକ୍ ଟ୍ୟାକ୍ସି ପାଇଁ ଅତିରିକ୍ତ ୨ ଲକ୍ଷ ଟଙ୍କାର କ୍ରୟ ପ୍ରୋତ୍ସାହନ, ରାସ୍ତା ଟିକସ ଏବଂ ପଞ୍ଜିକରଣ ଫି ଛାଡ଼ ।
କ’ଣ ରହିଛି ଯୋଗ୍ୟତା ?
ଏଥିପାଇଁ ମହିଳାଙ୍କ ବୟସ ୨୧ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତାଲିମ ବେଳେ ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ପ୍ରଦାନ କରାଯିବ । ଏଥିପାଇଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ହୋଇଥିବା ଉଚିତ । ସେହିପରି ଉକ୍ତ କାରକୁ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ଟାକ୍ସି ଭାବରେ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ଓଏସ୍ଆରଟିସି/କ୍ରୁଟ୍ ବସ୍ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସୁଭଦ୍ରା ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯିବ ।
ଏଥିପାଇଁ ଆସନ୍ତା ୨୩ ତାରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ତପନ କୁମାର ରାଜ୍ୟ ସ୍ତରୀୟ ବ୍ୟାଙ୍କ କମିଟିର ୟୁକୋ ବ୍ୟାଙ୍କ ସିଜିଏମଙ୍କୁ ଚିଠି ଲେଖିଛନ୍ତି ।