ଭଉଣୀକୁ ବଞ୍ଚାଇ ପାରିଲି ନାହିଁ, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାକୁ ଲଢିବି- ଉନ୍ନାଓ ପୀଡିତାଙ୍କ ଭାଇ
Khabar Odisha:national-odisha-unnao-rape-case-victims-brother-demands-justice-seeks-death-penalty-for-accused
ଉନ୍ନାଓ, ଡିସେମ୍ଵର ୦୭ (ଖବର ଓଡିଶା) :

ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଗତ ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଆଜି ପୀଡିତାଙ୍କ ଶବ ବ୍ୟବଛେଦ କରିବା ପରେ ପୀଡିତାଙ୍କ ମରଶରୀରକୁ ଉନ୍ନାଓ ପଠାଯାଇଛି। ଜଳି ଯାଇଥିବା କାରଣରୁ ପୀଡିତା ପ୍ରାଣ ହରାଇଛନ୍ତି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଜଣା ପଡିଛି। ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ଦୁଃଖରେ ମିୟମ୍ରାଣ ହୋଇ ପଡିଛନ୍ତି। ବିଶେଷ କରି ପୀଡିତାଙ୍କ ଭାଇ ଆକ୍ରୋଶ ପ୍ରକାଶ କରିଛନ୍ତି। 

ଭଉଣୀର ଅନ୍ତିମ ଶବ୍ଦ ଏବଂ ଯନ୍ତ୍ରଣାକୁ ମନେ ପକାଇ ପୀଡିତାଙ୍କ ଭାଇ କହିଛନ୍ତି ଯେ, ଭଉଣୀକୁ ବଞ୍ଚାଇ ପାରିଲି ନାହିଁ, କଷ୍ଟ ଲାଗୁଛି କିନ୍ତୁ ଏଥିପାଇଁ ଦାୟୀ ଅଭିଯୁକ୍ତକାରୀଙ୍କୁ ନିଶ୍ଚୟ ଦଣ୍ଡ ଦିଆଇବୁ। ମୁଁ ସରକାର ଏବଂ ପୁଲିସକୁ ଦାବି କରୁଛି କି, ଯଦି ମୋ ଭଉଣୀ ଏହି ଦୁନିଆରେ ନାହିଁ ତେବେ ଅଭିଯୁକ୍ତକାରୀଙ୍କୁ ମଧ୍ୟ ବଞ୍ଚିବାର ଅଧିକାର ନାହିଁ। ମୁଁ ମୋ ଭଉଣୀକୁ ପ୍ରତିଜ୍ଞା କରିଥିଲି ତାକୁ ବଞ୍ଚାଇ ଦେବି କିନ୍ତୁ କରି ପାରିଲି ନାହିଁ। କିନ୍ତୁ ଏବେ ଅଭିଯୁକ୍ତଙ୍କୁ ଦଣ୍ଡ ନିଶ୍ଚୟ ଦିଆଇବି। ଶେଷ ଥର ପାଇଁ ମୋ ଭଉଣୀ କହିଥିଲା ସବୁ ଖେଳ ଶେଷ ହୋଇ ଯାଇଛି। 

ଭଉଣୀର ଅନ୍ତିମ ସଂସ୍କାର ବିଷୟରେ ପୀଡିତାଙ୍କ ଭାଇ କହିଛନ୍ତି ଯେ, ମୋ ଭଉଣୀର ଶବକୁ ନା ଗଙ୍ଗାରେ ଭସାଇବି ନା ନିଆଁରେ ଜାଳିବି। ତାକୁ ଧରିତ୍ରୀ ମାତାର କୋଳରେ ଛାଡିବି। 

ଉଲ୍ଲେଖଯୋଗ୍ୟ,ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଦୀର୍ଘ ୪୪ ଘଣ୍ଟା ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରିଥିବା ପୀଡିତା ଶେଷ ସମୟରେ ମଧ୍ୟ ନିଜ ପାଇଁ ନ୍ୟାୟ ଦାବି କରିଥିଲେ। 

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ବଳାତ୍କାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ। ଏହାପରେ ପୋଲିସ ଟିମ୍ ଆମ୍ଵୁଲାନ୍ସ ସହ ଘଟଣାସ୍ଥଳରେ ପହଁଚିଥିଲେ।

Subscribe

National International State Sports Entertainment