ନୂଆଦିଲ୍ଲୀ, ଜାନୁଆରୀ ୧୭ (ଖବର ଓଡ଼ିଶା) :
ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଅଭିଯୁକ୍ତ ମୁକେଶର ଦୟା ଯାଚିକା ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି। ଡିସେମ୍ବର ୧୬, ୨୦୧୨ରେ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷଣକାରୀ ଘଟଣାର ଅନ୍ୟ ଜଣେ ଦୋଷୀ ବିନୟ ଶର୍ମାଙ୍କ ରାଜକ୍ଷମା ଯାଚିକା ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ପରେ ସେ ଏହାକୁ ଫେରେଇ ନେଇଥିଲେ। ତେବେ ଆଇନର ଏହି ଲମ୍ବିତ ପ୍ରକ୍ରିୟା ମଧ୍ୟରେ ସର୍ବଶ୍ଵାନ୍ତ ହୋଇଗଲେଣି ନିର୍ଭୟାଙ୍କ ପିତାମାତା। ନିଜ ଝିଅର ବଳାତ୍କାରୀଙ୍କ ଫାଶୀ ପାଇଁ ବାରମ୍ବାର ସରକାର, ପ୍ରଶାସନ, ନ୍ୟାୟାଳୟରେ କାକୁତି ମିନତି ହେଉଛନ୍ତି ନିର୍ଭୟାଙ୍କ ପିତାମାତା। ଏପରିକି ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ନିର୍ଭୟାଙ୍କ ମା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଏହା ପୂର୍ବରୁ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟି ରଦ୍ଦ କରିବା ପାଇଁ ଯାଚିକାରେ ଶୁଣାଣି କରି ଜାନୁଆରୀ ୨୨ରେ ଫାଶୀ ହେବ ନାହିଁ ବୋଲି ଶୁଣାଣି କରିଛନ୍ତି। ଯେଉଁ ଯାଏଁ ଦୟା ଯାଚିକାରେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆସି ନାହିଁ ସେଯାଏଁ ଫାଶୀ ହୋଇପାରିବ ନାହିଁ। ରାଷ୍ଟ୍ରପତି ଦୟା ଯାଚିକା ଖାରଜ କରିବା ପରେ ଯାଇ ଦୋଷୀଙ୍କୁ ଫାଶୀ ଦିଆଯିବ।
ତେବେ ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା କାରଣରୁ ନିର୍ଭୟା ଅଭିଯୁକ୍ତଙ୍କୁ ଖସି ଯିବାକୁ ବିଭିନ୍ନ ବାଟ ମିଳୁଛି। ଏଥିରେ ଆକ୍ରୋଶ ପ୍ରକାଶ କରି ନିର୍ଭୟାଙ୍କ ମା ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ନିର୍ଭୟାଙ୍କ ପିତା କହିଛନ୍ତି ଯେ, ଆମେ ଆଗକୁ ନ ବଢିବା ଯାଏଁ ସରକାର ନିଦରେ ଶୋଇଥିଲେ। ଦିଲ୍ଲୀ ସରକାରୀ ଜେଲ ପ୍ରଶାସନକୁ ପୂର୍ବରୁ ଫାଶୀ ପାଇଁ ନୋଟିସ୍ ଜାରୀ କରିବା ପାଇଁ କଣ ପାଇଁ କହି ନଥିଲେ। ଯଦି ଦିଲ୍ଲୀ ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ତେବେ ଏଥିପାଇଁ ଅରବିନ୍ଦ କେଜରିୱାଲ ଦାୟୀ ହେବେ। କେଜରିୱାଲ ପୁଣି ଥରେ ସରକାର ଗଠନ କରିବାକୁ ନିର୍ଭୟା ମାମଲାକୁ ବ୍ୟବହାର କରୁଛନ୍ତି।