ମୃତ୍ୟୁଶର୍ଯ୍ୟାରୁ ମାଙ୍କ ନିକଟକୁ ୬ଟି ଚିଠି ଲେଖିଥିଲେ ନିର୍ଭୟା, ଜାଣନ୍ତୁ କିପରି ଜଣାଇଥିଲେ ବେଦନା...
Khabar Odisha:national-odisha-last-6-letters-of-delhi-Nirbhaya-rape-victim
ନୂଆଦିଲ୍ଲୀ, ଜାନୁଆରୀ ୨୭ (ଖବର ଓଡ଼ିଶା) :

୨୦୧୨ ଡିସେମ୍ଵର ୧୬ରେ ଦିଲ୍ଲୀରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଫେବୃଆରୀ ୧ରେ ଫାଶୀ ହେବାକୁ ଯାଉଛି। ତେବେ ବାରମ୍ବାର ଫାଶୀ ତାରିଖ ଗଡ଼ୁଥିବା କାରଣରୁ ନିର୍ଭୟାଙ୍କ ପରିବାର ଲୋକ ଧର୍ଯ୍ୟହରା ହୋଇ ପଡ଼ିଛନ୍ତି। ଦୋଷୀମାନେ ବାରମ୍ବାର ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟାର ଫାଇଦା ଉଠାଇବାକୁ ବାରମ୍ବାର ଖସିବାକୁ ଚେଷ୍ଟା କରୁଛନ୍ତି। ତେବେ ୨୦୧୨ରେ ଘଟିଥିବା ଏହି ଗଣବଳାତ୍କାର ଘଟଣା କେବଳ ଦିଲ୍ଲୀର ନୁହେଁ ବରଂ ଦୁନିଆର ସବୁଠୁ ଘୃଣ୍ୟ ଗଣଦୁଷ୍କର୍ମ ବୋଲି କୁହାଯାଉଛି। 

ପଶୁଙ୍କର ପାଶବକତା ସହ ଲଢିଲଡ଼ି ନିର୍ଭୟା ଶେଷରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଆଜି ଆମ ଗହଣରେ ନାହାଁନ୍ତି। କିନ୍ତୁ ଆଜି ନିର୍ଭୟାଙ୍କ ସହ ଜଡ଼ିତ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ବୋଧହୁଏ ଶୁଣି ନଥିବେ। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ନିର୍ଭୟା ତାଙ୍କ ମାଙ୍କ ନିକଟରେ ତାଙ୍କ ବାର୍ତ୍ତା ପହଁଚାଇବାକୁ ଚିଠି ଲେଖିଥିଲେ। ସେ ମୃତ୍ୟୁଶର୍ଯ୍ୟାରୁ ତାଙ୍କ ମାଙ୍କ ନିକଟକୁ ୬ଟି ଚିଠି ଲେଖିଥିଲେ। ପଢନ୍ତୁ ନିର୍ଭୟାଙ୍କ ୬ଟି ଶେଷ ଚିଠି-

ପ୍ରଥମ ଚିଠି

ନିର୍ଭୟା ପ୍ରଥମ ଚିଠି ଡିସେମ୍ଵର ୧୯ ୨୦୧୨ରେ ଏମ୍ସରେ ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ, ମୋତେ ଖୁବ୍ କଷ୍ଟ ହେଉଛି। ଏହି କଷ୍ଟ ମୁଁ ସହିପାରୁ ନାହିଁ। ଡାକ୍ତରଙ୍କ ଔଷଧ ମୋ କଷ୍ଟ କମ୍ କରୁନାହିଁ। ମୁଁ ଏହି କଷ୍ଟ ଏବଂ ପୀଡ଼ାକୁ ସହିପାରିବି ନାହିଁ। 

ଦ୍ଵିତୀୟ ଚିଠି

୨୧ ଡିସେମ୍ଵର ୨୦୧୨ରେ ନିର୍ଭୟା ଦ୍ଵିତୀୟ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ, ମା କଷ୍ଟ କାରଣରୁ ମୁଁ ଠିକ୍ ଭାବରେ ନିଶ୍ଵାସ ନେଇପାରୁ ନାହିଁ। ନିଃଶ୍ଵାସ ନେବାକୁ ମୋତେ ଖୁବ୍ ଜୋରରେ କଷ୍ଟ ହେଉଛି। ଡାକ୍ତରଙ୍କୁ କୁହନ୍ତୁ ମୋତେ ନିଦ ଔଷଧ ଦେବେ ନାହିଁ। କାରଣ ମୁଁ ଯେତେବେଳେ ଶୋଇପଡୁଛି ମୋ ଶରୀରରକୁ କେହି ଖାଇଯାଉଛି। ଏହି ସମୟରେ ମୁଁ ବିବଶ ହୋଇ ପଡୁଛି। ଶୋଇବା ବେଳେ ମୁଁ କଣ ଭାବୁଛି ମୁଁ ନିଜେ ଜାଣିପାରୁ ନାହିଁ। 

ତୃତୀୟ ଚିଠି

୨୨ ଡିସେମ୍ଵର ୨୦୧୨ରେ ନିର୍ଭୟା ତାଙ୍କ ମାଙ୍କ ନିକଟକୁ ତୃତୀୟ ଚିଠି ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ମୋ ଆଖପାଖରେ ଥିବା ସବୁ କାଚ ଭାଙ୍ଗି ଦିଅନ୍ତୁ। ମୁଁ ମୋ ଚେହେରା ଦେଖିବାକୁ ଚାହୁଁନାହିଁ। ମୋ ଶରୀରରେ ରାକ୍ଷସଙ୍କ ରକ୍ତର ଦୁର୍ଗନ୍ଧ ଆସୁଛି। ମୋ ଶରୀର ପ୍ରତି ମୋତେ ଘୃଣା ଆସୁଛି। ମୋତେ ଛାଡ଼ି ଯାଅ ନାହିଁ ମା। 

ଚତୁର୍ଥ ଚିଠି

୨୩ ଡିସେମ୍ଵର ୨୦୧୨ରେ ନିର୍ଭୟା ଚତୁର୍ଥ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ, ପାପା କେଉଁଠାରେ ଅଛନ୍ତି? ସେ ମୋତେ ଦେଖା କରିବାକୁ କାହିଁକି ଆସୁ ନାହାଁନ୍ତି ? ତାଙ୍କୁ ଦୁଃଖିତ ହେବା ପାଇଁ ମନା କରନ୍ତୁ। 

ପଞ୍ଚମ ଚିଠି

୨୫ ଡିସେମ୍ଵର ୨୦୧୨ରେ ନିର୍ଭୟା ପଞ୍ଚମ ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ ଯେ, ସେହି ରାକ୍ଷସଙ୍କୁ ଛାଡ଼ିବ ନାହିଁ। କାହାକୁ ବି କ୍ଷମା ଦେବ ନାହିଁ। ତାଙ୍କ ବନ୍ଧୁଙ୍କ କଥା ମଧ୍ୟ ପଚାରିଥିଲେ। ଏପରିକି ବଞ୍ଚିବାର ଆଶା ଛାଡିଦେଇଥିବା କଥା କହିଥିଲେ। 

ଶେଷ ଚିଠି

୨୬ ଡିସେମ୍ଵର ୨୦୧୨ରେ ସେ ଶେଷ ଚିଠି ଲେଖିଥିଲେ। ଏଥିରେ ନିର୍ଭୟା ଲେଖିଥିଲେ ଯେ, ମୁଁ ମରିଯିବାକୁ ଚାହୁଁଛି। ଏ କଷ୍ଟ ଆଉ ସହି ହେବ ନାହିଁ। କଷ୍ଟ ସହି ସହି ଥକି ପଡିଲିଣି। ଏବେ ମୋତେ ଶୋଇବାକୁ ଦିଅ। ମା ମୋତେ କଷ୍ଟ ହେଉଛି। ଡାକ୍ତରଙ୍କୁ କହି ମୋତେ ଔଷଧ ଦିଅ। ମୋତେ କ୍ଷମା କରିଦେବ। ମୁଁ ଥକି ପଡ଼ିଲିଣି। ଏବେ ଆଉ କଷ୍ଟ ସହି ପାରିବି ନାହିଁ। ମୁଁ ବଞ୍ଚିବାକୁ ଚାହୁଁନାହିଁ। ଏହାପରେ ନିର୍ଭୟା କୋମାକୁ ଚାଲି ଯାଇଥିଲେ। ଯାହା ପରେ ପରେ ସେ ଆଉ ଉଠି ନଥିଲେ।  

Subscribe

National International State Sports Entertainment