ବ୍ରହ୍ମପୁର: ବ୍ରହ୍ମପୁରର ଆଡହକ୍ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ ପୋକ୍ସୋ ଆଦାଲତ ନାବାଳିକା ଦୁଷ୍କର୍ମ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ହେଲା ପୋଲସରା ଥାନା ଅନ୍ତର୍ଗତ ମାନସିଲା ଗ୍ରାମର ପଣ୍ଡିତ ନାହାକଙ୍କ ପୁଅ କେଶବ ନାହାକ । ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୧ ନଭେମ୍ବର ୨୦୨୧ରେ କେଶବ ନାହାକ ଜଣେ ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରିଥିଲେ । ଏନେଇ ପୋଲସରା ଥାନା ୪୧୭/୨୧ରେ ଏକ ମାମଲା ରୁଜୁ କରିଥିଲା । ଜିଆର୍ ନଂ ୨୦୦/୨୦୨୧ରେ କୋର୍ଟରେ ମାମଲା ରୁଜୁ ହୋଇ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ମାମଲାରେ ସମସ୍ତ ପକ୍ଷକୁ ଶୁଣିବା ପରେ ଦାଖଲ ସାକ୍ଷ୍ୟ ଓ ପ୍ରମାଣ ଆଧାରରରେ କୋର୍ଟ ଆସାମୀକୁ ପୋକ୍ସୋ ଆଇନର ଧାରା ୬ ସହିତ ଭାରତୀୟ ପିଙ୍ଗଳକୋଡ୍ (ଆଇପିସି)ର ଧାରା ୩୭୬ (୨) (ଏଫ୍) ଓ ୩୭୬ ଏବି ଅନୁସାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇପିସି ଧାରା ୩୦୭ ଅନୁସାରେ ୧୦ବର୍ଷ କଠୋର କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟରେ ଅତିରିକ୍ତ ୬ମାସ କାରାଦଣ୍ଡ ଭୋଗିବେ। ସେହିଭଳି ଆଇପିସି ଧାରା ୩୬୩ ଅନୁସାରେ ଆଉ ୫ ବର୍ଷ କାରାଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଵତନ୍ତ୍ର ସରକାରୀ ଓକିଲ ଶିବ ପ୍ରସାଦ ମିଶ୍ର ଏହି ମାମଲାର ପରିଚାଳନା କରୁଥିଲେ।