ନବରଙ୍ଗପୁର: ନିରୀହ ଗରିବ ଶ୍ରେଣୀର ମହିଳାଙ୍କୁ ସାମାନ୍ୟ ଟଙ୍କାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଆଶାକର୍ମୀ । ଗ୍ରାମର ମହିଳାଙ୍କ ନାଁରେ ବ୍ୟାଙ୍କରୁ ଏକାଧିକ ଋଣ କରି ୫୦ ଲକ୍ଷରୁ ଅଧିକ ଟଙ୍କା ଋଣ କରି ଆଶାକର୍ମୀ ଫେରାର ହୋଇଯାଇଛନ୍ତି । ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ସିରସି ପଞ୍ଚାୟତ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମରେ । ଏ ନେଇ ଥାନା ସମ୍ପୃକ୍ତ ଆଶାକର୍ମୀ ଏବଂ ତାଙ୍କ ପରିବାର ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ବାଣୁଆଗୁଡ଼ା ଗାଁର ଆଶାକର୍ମୀ ସୁବାସିନୀ ମହାପାତ୍ର ଓ ତାଙ୍କ ପୁଅ ନିରାକାର ମହାପାତ୍ର ସେହି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୪ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ ଘରୋଇ ବ୍ୟାଙ୍କରେ ଋଣ ନେବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଋଣ ଟଙ୍କା ସେ ନିଜେ ପରିଶୋଧ କରିବେ ଏବଂ ମହିଳାମାନଙ୍କୁ କିଛି ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ବିଭିନ୍ନ ସଂସ୍ଥାରୁ ଋଣ ଆଣିଥିଲେ । ମହିଳାମାନେ ଆଶାକର୍ମୀଙ୍କ ପ୍ରରୋଚନାରେ ଆସି ଅନ୍ନପୂର୍ଣ୍ଣା, ଟାଟା, ସ୍ପନ୍ଦନା, ସୂର୍ଯ୍ୟୋଦୟ ଏବଂ ଏକ୍ସିସ ବ୍ୟାଙ୍କରୁ ଋଣ କରିଥିଲେ। ଋଣ ମିଳିବା ପରେ ଆଶାକର୍ମୀ ଦିଦି ସମସ୍ତ ଟଙ୍କା ନେଇଯାଇଥିଲେ । ଏହା ପରେ ଏକ୍ସିସ୍ ବ୍ୟାଙ୍କରୁ ୧୦ଜଣ ମହିଳାଙ୍କୁ ଋଣ ପରିଶୋଧ କରିବା ପାଇଁ ନୋଟିସ୍ ମିଳିବା ପରେ ସମସ୍ତଙ୍କର ନିଦ ହଜି ଯାଇଛି । ଏତେ ପରିମାଣର ଟଙ୍କା କେମିତି ସୁଝିରେ ତାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଏନେଇ ବାଣୁଆଗୁଡ଼ା ଗ୍ରାମର ଚନ୍ଦ୍ରମା ଭତରା ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଶାକର୍ମୀ ସୁବାସିନୀ ମହାପାତ୍ର , ସ୍ୱାମୀ ଶରତ ମହାପାତ୍ର ଏବଂ ପୁଅ ନିରାକାରଙ୍କା ନାଁରେ ଅଭିଯୋଗ କରାଯାଇଛି । ମାତ୍ର ସମସ୍ତେ ଗ୍ରାମରୁ ଫେରାର ହୋଇଯାଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।