ଭୁବନେଶ୍ୱର :ଦୃଢ଼ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସିଥାଏ , ଏହି ଶକ୍ତି ବଳରେ ଆତ୍ମ ନିର୍ଭରଶୀଳ ହେଉଛନ୍ତି ମହିଳା। ଅନ୍ୟ ଉପରେ ନିର୍ଭର ହେବା ଅପେକ୍ଷା ସ୍ବାବଲମ୍ବୀ ହେବାର ରାସ୍ତା ବାଛି ନେଉଛନ୍ତି। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ରୋଜଗାର ପାଇଁ ମହିଳା ଭିନ୍ନ ଭିନ୍ନ ପ୍ରନ୍ଥା ବାହାର କରି ନେଉଛନ୍ତି।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବୋତାଳମା ଗ୍ରାମର ଗୀତାଞ୍ଜଳୀ ଜେନା। 2004 ମସିହାରେ ସେ ବିବାହ କରିବା ପରେ ନିଜ ଉପରେ ପୁରା ପରିବାରର ଦାୟିତ୍ଵ । ହେଲେ ଏତିକିରେ ଅଟକି ଯାଇନାହାନ୍ତି ଗୀତାଞ୍ଜଳି , ସ୍ବାବଲମ୍ବୀ ହେବାର ନିଶା ଆଜି ତାଙ୍କୁ କରାଇ ପାରିଛି ଜଣେ ସଫଳ ମହିଳା ଉଦ୍ୟୋଗୀ। ନିଜର ପାରିଶ୍ରମିକ ଓ ବୁଦ୍ଧିରେ ନିଜେ ପ୍ରଥମେ ଟେଲରିଂ କାମକୁ ଆପଣେଇ ମେସିନ କିଣି ଟେଲରିଂ କରିବା ଆରମ୍ଭ କରିଥିଲେ। ପରେ ପରେ ନିକଟ ବଜାରରେ ଘର ଭଡ଼ା ନେଇ ଆରମ୍ଭ କରିଲେ ନିଜର ଟେଲରିଂ କ୍ୟାରିୟର। ଧିରେ ଧିରେ ଏକାଧିକ ଟେଲର ମେସିନ୍ କିଣିବା ସହିତ ନିଜ ପଞ୍ଚାୟତର ବେକାରୀ ମହିଳାମାନଙ୍କୁ କର୍ମନିଯୁକ୍ତି ଦେଇ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ଗୀତାଞ୍ଜଳି ନିଜେ ଟେଲରିଂ କରିବା ସହିତ ନିଜ ଅଞ୍ଚଳର ୧୬୧ ଜଣ ମହିଳାଙ୍କୁ ଏହି ଟେଲରିଂ ଶିକ୍ଷା ଦେଇଛନ୍ତି। ଯାହା ପାଇଁ ଅନେକ ମହିଳା ଏବେ ଗୀତାଞ୍ଜଳିଙ୍କ ଭଳି ଉଦ୍ୟୋଗୀ ହୋଇପାରିଛନ୍ତି। ଗୀତାଞ୍ଜଳି ଟେଲରିଂ କାମରେ ବ୍ୟବହୃତ ହେଉଥିବା କପଡ଼ା ଓ ସରଞ୍ଜାମକୁ କଟକରୁ ଆଣିଥାନ୍ତି , ଆଉ ଏହାପରେ ଚାହିଦା ଓ ଲୋକଙ୍କ ଅର୍ଡର ଅନୁସାରେ ତିଆରି ହୁଏ ଭଳିକି ଭଳି ପୋଷାକ। ଆଉ ଏହିସବୁ କାର୍ଯ୍ୟ ପାଇଁ ଗୀତାଞ୍ଜଳିଙ୍କ ସହିତ ଆଉ ୪ ଜଣ ମହିଳା ନିୟୋଜିତ ହୋଇ ଦିନକୁ ତିନିଶହରୁ ଅଧିକ ଟଙ୍କା ରୋଜଗାର କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି।
ଅନ୍ୟପଟେ ଗୀତାଞ୍ଜଳିଙ୍କ ଦୋକାନରେ କର୍ମନିଯୁକ୍ତି ପାଇ ବେଶ୍ ଖୁସି ଥିବା କହିଛନ୍ତି ଏଠାରେ ଥିବା କାର୍ଯ୍ୟରତ କର୍ମଚାରୀ ମହିଳାମାନେ। ନିଜର ଘର କାମ ସାରିବା ପରେ ଏହି ଟେଲରିଂ କାମ ପାଇଁ ସେମାନେ ବାହାରି ଆସନ୍ତି। ଆଉ ଏହି ଟେଲରିଂ କାମ ଦ୍ଵାରା ସେମାନେ ରୋଜଗାର କ୍ଷମ ହୋଇ ନିଜର ପରିବାର ଖର୍ଚ୍ଚ ସହିତ ପିଲାଙ୍କ ପାଥପଢ଼ା ଖର୍ଚ୍ଚ ମଧ୍ୟ କରିପାରନ୍ତି । ନିଜର ଆର୍ଥିକ ଅନଟନ ଭିତରେ ଗୀତାଞ୍ଜଳିଙ୍କ ପାଖରେ ଏମାନେ ନିଯୁକ୍ତି ପାଇ ମଧ୍ୟ ନିଜର ପରିବାର ବୋଝକୁ ଟିକିଏ ହାଲୁକା କରିପାରୁଛନ୍ତି। ତେବେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ମଣିଷ ସବୁକିଛି କରିପାରେ ବୋଲି ଗୀତାଞ୍ଜଳୀ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।