କଟକ/ବଲାଙ୍ଗୀର: ଗୋଟିଏ ଦିନରେ ରାଜ୍ୟର ପୃଥକ ପୃଥକ ସ୍ଥାନରୁ ୩ ଜଣଙ୍କ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । କଟକ କାଠଯୋଡ଼ି ନଦୀ ପଠାରୁ ଜଣେ ମହିଳାଙ୍କ ମୂମୁର୍ଷ ମୃତ ଦେହ ଜବତ ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ରେଳ ଧାରଣା ଉପରୁ ଦୁଇ ଜଣ ମହିଳାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
କଟକ ଜିଲ୍ଲା କନ୍ଦରପୁର ଥାନା ଅନ୍ତର୍ଗତ ପରମହଂସସ୍ଥିତ କାଠଯୋଡ଼ି ନଦୀ ପଠାରୁ ଜଣେ ମହିଳାଙ୍କ କ୍ଷତିବିକ୍ଷତ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ କନ୍ଦରପୁର ଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ମହିଳାଙ୍କ ମୁହଁ ଓ ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏହା ସହିତ ମହିଳା ଜଣକଙ୍କ ମୁହଁକୁ ସମ୍ପୂର୍ଣ୍ଣ ବିକୃତ କରାଯାଇଥିବା ଜଣାପଡ଼ିଛି ।
ଘଟଣା ସ୍ଥଳରେ କିଛି ଗୁଟଖା, ଛୋଟ ପିଲାର ଡ୍ରେସ୍, ଜଣେ ପୁରୁଷଙ୍କ ଡ୍ରେସ୍ ପଡ଼ିଥିବା ଦେଖିବାକୁ ମିଳିଛି । ତାଙ୍କୁ ଗଳା କାଟି ହତ୍ୟା କରିବା ପରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳି ପାରି ନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ୍ ଅନ୍ତର୍ଗତ କୁକୁଡ଼ାହାଡ଼ ଗ୍ରାମ ନିକଟସ୍ଥ ରେଳ ଧାରଣାରୁ ୨ ଜଣ ଅପରିଚିତ ମହିଳାଙ୍କ ମୃତ ଉଦ୍ଧାର କରାଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି କିଛି ସ୍ପଷ୍ଟ ହୋଇ ନାହିଁ । ଜିଆରପି ପୁଲିସ ପହଁଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।