ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଫରେଷ୍ଟ ରେଞ୍ଜ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଦିଗାମ୍ବର ବେହେରାଙ୍କ ପତ୍ନୀ କୁନି ବେହେରା (୫୦) ।
ଗତାକାଲି ରାତିରେ ଦୁଇଟି ଦନ୍ତା ହାତୀ ସଙ୍ଘାପଶି ଗ୍ରାମରେ ପଶି ଉପଦ୍ରବ କରିଥିଲେ । ଦନ୍ତା ହାତୀ ଦିଗାମ୍ବରଙ୍କ ମକା କ୍ଷେତର ମଧ୍ୟ ପଶି ମକା ଖାଇବା ସହ ନଷ୍ଟ କରିଥିଲେ । ପରିବାର ଲୋକେ ଜାଣିବା ପରେ ଦିଗାମ୍ବରଙ୍କ ସ୍ତ୍ରୀ କୁନି ହାତୀ ଘଉଡ଼ାଇବାକୁ ଯାଇଥିଲେ । ଏହି ସମୟରେ ଗୋଟିଏ ହାତୀ କୁନି କଚାଡ଼ି ଦେଇଥିଲା ।
ଗାଁ ଲୋକେ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । କୁଣ୍ଢେଇଗୋଳା ଫରେଷ୍ଟର ତପନ ନାୟକ ନିଜ ଟିମ ସହିତ ଗାଁରେ ପହଁଚି ହାତୀକୁ ଘଉଡ଼ାଇ ଥିଲେ । ଏହା ସହିତ କୁନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବାରମ୍ବାର ହାତୀ ଆକ୍ରମଣ ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏହା ପୂର୍ବରୁ ହାତୀ ଆକ୍ରମଣରେ ପୂର୍ବରୁ କାଞ୍ଜିଆମ୍ବରେ ଜଣେ ଓ ଅନୁଗୁଳ ଜିଲ୍ଲାର ବାଘୁଆବୁଲ ଗ୍ରାମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।