ଗଜପତି: ପାରିବାରିକ କଳହର କରୁଣ ପରିଣତି । ଭୁଲ ବୁଝାବଣା ପାଇଁ ହସଖୁସିରେ ଚାଲିଥିବା ପରିବାରରେ ଆଜି କେହି ବି ନାହାନ୍ତି । ବାପା, ମା, ପୁଅ ଓ ଝିଅଙ୍କୁ ନେଇ ଗଢ଼ିଉଠିଥିବା ଖୁସିର ପରିବାରରେ ଅଶାନ୍ତ ରୂପକ ଝଡ଼ ଆସି ସବୁ କିଛି ଛାରଖାର କରିଦେଇଛି । ପ୍ରଥମେ ମା' ପରେ ଦୁଇ ପୁଅ ଝିଅ ଆଉ ଏବେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ଘଟଣା ଶୁଣିଲେ ମନ ଅସ୍ତବ୍ୟସ୍ତ ହୋଇପଡୁଛି । ଏପରି ଏକ ହୃଦୟବିଦରାକ ଓ ଚାଞ୍ଚଲ୍ୟକର ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଘଟିଛି ।
ସୂଚନା ଅନୁସାରେ, ବୁଧବାର ପାରଳାଖେମୁଣ୍ଡି ଅଞ୍ଚଳର ସୁଭାଶିଷ ପାଣିଗ୍ରାହୀ ନିଜ ୮ବର୍ଷର ପୁଅ ବିଜୟାନନ୍ଦ ଓ ୧୧ବର୍ଷର ଝିଅ ପ୍ରିୟଦର୍ଶିନୀକୁ ବିଷ ଖୁଆଇ ନିଜେ ବିଷ ଖାଇଦେଇଥିଲେ । ଏନେଇ ସମ୍ପର୍କୀୟ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପୁଅ ବିଜୟାନନ୍ଦ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ପ୍ରିୟଦର୍ଶିନୀ ଓ ବାପା ସୁଭାଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରଥମେ ଝିଅର ମୃତ୍ୟୁ ହୋଇଥିବାବେଳେ ଗୁରୁବାର ସକାଳେ ବାପା ସୁଭାଶିଷଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ଗତ ମାର୍ଚ୍ଚ ୨୧ତାରିଖରେ ମା' ଶ୍ବେତାର ଅଚାନକ ମୃତ୍ୟୁ ହୋଇଥିଲା । ପାରିବାରିକ କଳହରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଏ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି । ପାରଳାଖେମୁଣ୍ଡି ପୋଲିସ ତଦନ୍ତ ଜାରି କରିଛି ।