ଭୁବନେଶ୍ବର: ଦୟା ନଦୀର ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଏକ ଅଘଟଣ ଘଟିଛି । ନଦୀରେ ଗାଧୋଉଥିବା ବେଳେ ଦୁଇ ଜଣ ଛାତ୍ର ବୁଡି ଯାଇଛନ୍ତି । ଜଣେ ଛାତ୍ରର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
ସୂଚନା ଅନୁସାରେ, ୪ ଜଣ ଛାତ୍ର ଦୟା ନଦୀ ଡାଲଖାଇ ଘାଟକୁ ଗାଧୋଇବାକୁ ଯାଇଥିଲେ । ୩ ଜଣ ଛାତ୍ର ନଦୀ ଭିତରକୁ ଯାଇଥିଲେ । ଅସାବଧାନତା କାରଣରୁ ନଦୀର ପ୍ରଖର ସ୍ରୋତରେ ୩ ଜଣ ଛାତ୍ର ଭାସିଯାଇଥିଲେ । ସୋଭାଗ୍ୟବଶତଃ ଜଣେ ଛାତ୍ର ପହଁରି ବଞ୍ଚିଯାଇଥିଲେ । ଅନ୍ୟ ୨ ଜଣ ଭାସି ଯାଇଥିବା ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଛାତ୍ର ନିଖୋଜ ଅଛନ୍ତି । ନିଖୋଜ ଓ ମୃତ ଉଦ୍ଧାର ଛାତ୍ର ଉଭୟ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି । ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି ।