ଓଡ଼ିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ। ଏଠି ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଓଡ଼ିଶାବାସୀ । ଆଉ ସେଥିରୁ ଅନ୍ୟତମ ହେଉଛି ମାର୍ଗଶୀର ମାସ ମାଣବସା ଗୁରୁବାର। ଧନଦାତ୍ରୀ ମା ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରବାର ଦିନ ସଧବା ନାରୀମାନେ ଅଗଣାରେ ରଙ୍ଗବେରଙ୍ଗ ଝୋଟି ପକାଇ ନୂଆ ଲୁଗା ପରିଧାନ କରି ଘରେ ଧାନ ଖଟୁଲିକୁ ସୁସଜ୍ଜିତ କରି ମା’ଙ୍କୁ ଆବାହନ କରିଥାନ୍ତି। ଏଥିପାଇଁ ଗାଁଠୁ ସହର ଶଙ୍ଖ ହୁଳହୁଳିରେ ଫାଟି ପଡିଥାଏ ।
ବିଶ୍ୱାସ ରହିଛି ଯେ ଆଜିର ଦିନରେ ଯେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଭକ୍ତି ଏବଂ ରୀତିନୀତିର ସହ ପୂଜା କରିଥାଏ । ତାଙ୍କ ଗୃହରେ ମା' ଲକ୍ଷ୍ମୀ ବିଜେ କରିଥାନ୍ତି । କୁହାଯାଏ ମାଣ ବସାଇବାରୁ "ମାଣବସା" ନାମ ଆସିଛି। ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ। ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା।
ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ର ଖଳାକୁ ଧାନହଳା ଆଣିଥାଏ । ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା’ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ। ଏହି ଧାନର ଶିଶାରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ ।
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ । ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ଏବଂ ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ ।