କେନ୍ଦୁଝର: ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ସଜା ଶୁଣାଇଲେ କେନ୍ଦୁଝର ଜିଲ୍ଲା ଦୌରା ଜଜ୍ କୋର୍ଟ। ୧୬-୩-୨୦୨୪ରେ ପଣ୍ଡାପଡ଼ା ଥାନା ହୁଣ୍ଡା ଗାଁରେ ପାରିବାରିକ କଳହରୁ ସ୍ତ୍ରୀ ଗୋଲାପ ଜୁଆଙ୍ଗଙ୍କୁ ଲୁହା ରଡ଼୍ ରେ ପିଟି ହତ୍ୟା କରିଥିଲା ସ୍ୱାମୀ ସୁକୁରା ଜୁଆଙ୍ଗ। ୧୫ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଅଭିଯୁକ୍ତ ସୁକୁରା ଜୁଆଙ୍ଗଙ୍କୁ ଆଜୀବନ ସଜା ଶୁଣାଇବା ସହ ୫ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଦୌରା ଜଜ୍ କୋର୍ଟ। ଜୋରିମାନା ଅନାଦେୟ ହେଲେ ୧ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବେ କୋର୍ଟ। ସନ୍ତାନ ହେଉ ନଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀ ବକ୍ସିବାରି ଗାଁରେ ଜଣେ ବୈଦ୍ୟଙ୍କ ପାଖକୁ ଯାଇ ଘରକୁ ଫେରିଥିଲେ। ଘରେ ଉଭୟ ଖାଇବା ସମୟରେ ସୁକୁରା, ସ୍ତ୍ରୀ ଗୋଲାପଙ୍କୁ ଏକ ଲୁହା ରଡ଼୍ ରେ ପିଟି ନିର୍ମମ ଭାବେ ହତ୍ୟା କରିଥିଲା। ତେବେ ଏହି ହତ୍ୟା ମାମଲାର ତଦନ୍ତ ମାତ୍ର ୧ମାସ ମଧ୍ୟରେ ପୋଲିସ ଶେଷ କରିବା ସହ, ମାନ୍ୟବର କୋର୍ଟ ଦଣ୍ଡବିଧାନ ମଧ୍ୟ ମାତ୍ର ୪ ମାସ ସମୟ ମଧ୍ୟରେ ଶେଷ କରିଛନ୍ତି।