ଭୁବନେଶ୍ୱର: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବୃଦ୍ଧି ହେବ। ପୂର୍ବତନ ବିଧାୟକଙ୍କ ସମେତ ବର୍ତ୍ତମାନର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପ-ବାଚସ୍ପତିଙ୍କ ଦରମା, ଭତ୍ତା ଏବଂ ପେନସନ୍ ବଢ଼ିବ। ଏନେଇ ବିଧାନସଭାରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପୂର୍ବରୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ନେଇ ଅନେକ ଆଲୋଚନା ଓ ଦାବି ହୋଇ ଆସୁଥିଲା। କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି।
କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ନୃସିଂହ ସାହୁ କହିଥିଲେ, ପୂର୍ବତନ ବିଧାୟକମାନେ ରାଜ୍ୟରେ ବହୁ ଅସୁବିଧାରେ ଅଛନ୍ତି। କିଛି ବିଧାୟକଙ୍କ ପରିସ୍ଥିତି ଏପରି ହୋଇଛି ଯେ ସେମାନେ ମୂଲ ଲାଗୁଛନ୍ତି। ତେଣୁ ପୂର୍ବତନ ବିଧାୟକଙ୍କ ପେନସନ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ। ଏହାସହ ମେଡିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉନି। ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ସେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କରୁଥିଲେ। ଏବେ ମୁଖ୍ୟମନ୍ତ୍ରୀ ନିଜେ ସେ ଦାବିକୁ ପୂରଣ କରନ୍ତୁ ବୋଲି ସେ ସେତେବେଳେ କହିଥିଲେ । ଆଉ ଏବେ ଏ ସମ୍ପର୍କିତ ବିଲ୍ ଆସିବାକୁ ଯାଉଛି।
ବର୍ତ୍ତମାନ ଓଡ଼ିଶାର ବିଧାୟକମାନଙ୍କୁ ଦରମା ୩୫ ହଜାର ଟଙ୍କା, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି। ଏହାସହ ତାଙ୍କୁ ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି। ଆଉ ଏହାପରେ ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା, ଯାହା କି ସରକାରଙ୍କ ବିଚାରାଧୀନ ରହିଛି। ତେଣୁ ଶୀତ ଅଧିବେଶନରେ ଏନେଇ ଗୃହରେ ଆଇନ ଆଣି କାର୍ଯ୍ୟକାରୀ କରିବାକୁ ଦାବି ହୋଇଥିଲା।
ଅଧିକ ପଢନ୍ତୁ: ରାଜ୍ୟରେ ଠିକାରେ ଚାଲିଛି ଡାକ୍ତରୀ ସେବା; ୫୨୪୮ ପଦବୀ ପୂରଣ ପାଇଁ OPSCକୁ ଚିଠି