ପୁରୀ: ସରିଲା ରାମକୃଷ୍ଣ ଦାସ ମହାପାତ୍ରଙ୍କ ନିଲମ୍ବନ ଅବଧୀ । ଆଜି ସେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । କାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଆଜି ଦଇତାପତି ସେବା କାର୍ଯ୍ୟରେ ଯୋଗଦେଇଛନ୍ତି ।
ସୂଚନା ମୁତାବିକ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ଯୋଗୁ ୩୦ ଦିନ ପାଇଁ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ ହୋଇଥିଲେ । ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା । ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ବିବାଦକୁ ଆସିଥିଲେ ରାମକୃଷ୍ଣ ଦାସ ମହାପାତ୍ର । ବଳକା ଦାରୁରେ ବିଗ୍ରହ ନିର୍ମାଣ ଏବଂ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣକୁ ପ୍ରତିବାଦ କରିନଥିବାରୁ ନିଆଯାଇଥିଲା ଆକ୍ସନ ।
ଗତ ମେ’ ମାସ ୧୧ ତାରିଖରେ ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩୦ ଦିନ ପାଇଁ ନିଲମ୍ବିତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ, ରାମକୃଷ୍ଣ ଦାସ ମହାପାତ୍ର କୌଣସି ସେବାପୂଜାରେ ସାମିଲ ହୋଇପାରିବେ ନାହିଁ କିମ୍ବା ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଥିଲା । ତେବେ ଆଜି ନିଲମ୍ବନ ଅବଧି ସରିବା ପରେ ଦେଇତାପତି ସେବା କାର୍ଯ୍ୟରେ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର ସାମିଲ ହୋଇଛନ୍ତି ।