ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୁରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ଓଡ଼ିଶା ଭିଜନ ପୁସ୍ତକ ଉନ୍ମୋଚିତ କରିଛନ୍ତି । ଆଗାମୀ ପାଞ୍ଚ ବର୍ଷରେ ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । କେବଳ ପାଞ୍ଚ ବର୍ଷ ପାଇଁ ନୁହେଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ସଂପୂର୍ଣ୍ଣ ବିକଶିତ ଓଡ଼ିଶା ଭାବେ ଗଢ଼ିବାକୁ ଏଥିରେ ରଣନୀତି ପ୍ରସ୍ତୁତ କରାଯାଇଛି । ସେହିପରି ୨୦୪୭ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ସହ ଦେଶରେ ବିକାଶରେ କର୍ଣ୍ଣଧାର ସାଜିବ ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି ମୋହନ ସରକାର । ବିକଶିତ ଭାରତ ଲକ୍ଷ୍ୟ ପୂରଣ ସହ ବିକଶିତ ଓଡିଶା ସ୍ବପ୍ନ ସାକାର କରିବାକୁ ଏଥିରେ ବିଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ମହିଳା ଓ ଶିଶୁ ବିକାଶକୁ ଫୋକସ କରିବା ସହ ଶିକ୍ଷା, ପୋଷଣ କ୍ଷେତ୍ରରେ ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ଓଡ଼ିଶା ବିକାଶର ବ୍ଲୁପ୍ରିଣ୍ଟ
୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ସହ ୨୦୩୬ ଓ ୨୦୪୭ ସୁଦ୍ଧା ସାମଗ୍ରିକ ବିକାଶ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅର୍ଥନୀତି ୧୩ ଗୁଣା ବଢିବ । ମୁଣ୍ଡପିଛା ଆୟ ହେବ ୨୮ ହଜାର ଡଲାର । ୨ କୋଟି ୪୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖାଯାଇଛି । ଉତ୍ପାଦନ କ୍ଷେତ୍ରର ଯୋଗଦାନ ୨୩%ରୁ ବଢି ୩୪% ହେବ। ରାଜ୍ୟରେ ବ୍ୟାପକ ସହରୀକରଣ ହେବ । ୧୦୦ଲକ୍ଷ କୋଟିର ନିବେଶ ଲକ୍ଷ୍ୟ ରଖାଯାଇଛି । ଫୋକସରେ ମହିଳା ଓ ଶିଶୁ ବିକାଶ ରହିଛି । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ୫୩%ରୁ ବୃଦ୍ଧି ହୋଇ ୭୦% କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ କୁପୋଷଣ ୧୮%ରୁ ୫%କୁ ହ୍ରାସ କରିବାକୁ ଟାର୍ଗେଟ୍ ରଖାଯାଇଛି । ସେହିପରି ସୁସ୍ଥ ଓଡ଼ିଶା ଜରିଆରେ ଲୋକଙ୍କ ଆୟୁଷ ବୃଦ୍ଧି ପାଇଁ ପ୍ରୟାସ କରାଯିବ ।
ବରପୁତ୍ରଙ୍କୁ ସମ୍ମାନ
ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ବରପୁତ୍ରଙ୍କ ଜନ୍ମସ୍ଥଳୀର ବିକାଶ କରାଯିବ । ଯୋଜନାରେ ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୂରା ଯୋଜନାରେ ପ୍ରାୟ ୧୯ହଜାର ଟଙ୍କା ବିନିଯୋଗ ହେବ । ବରପୂତ୍ରଙ୍କ ଜନ୍ମସ୍ଥଳୀରେ ପୂର୍ବପୁରୁଷଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା ସହ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସେହିପରି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।
୨୦୪୭ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ସହ ଦେଶରେ ବିକାଶରେ କର୍ଣ୍ଣଧାର ସାଜିବ ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କାମ ଆରମ୍ଭ କରିଛନ୍ତି ମୋହନ ସରକାର । ସଭାକୁ ସମ୍ୱୋଧନ କରି ପ୍ରଧାନମନ୍ତ୍ରୀ ଭିଜନ ଓଡ଼ିଶା ସଂପର୍କରେ କହିଛନ୍ତି, ଓଡ଼ିଶାକୁ ସଂପୂର୍ଣ୍ଣ ବିକଶିତ କରିବା ପାଇଁ ମୋହନ ସରକାର ପୂରା ଶକ୍ତି ଲଗାଇ କାମ କରୁଛନ୍ତି।