ମାଲକାନଗିରି: ୧୦୦ ଏକର ଜଙ୍ଗଲ ଜମି ହଡ଼ପ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ମୋଟୁରେ ଜଙ୍ଗଲ ଜମି ହଡ଼ପ ମାମଲାରେ ଜଙ୍ଗଲ ବିଭାଗ ଓ ଜିଲ୍ଲାପାଳଙ୍କ ଜବାବ ତଲବ କରିଛନ୍ତି ଏନଜିଟି ।
ମାଲକାଲଗିରି ଜିଲ୍ଲା ମୋଟୁରେ ୧୦୦ ଏକର ପରିମିତ ଜଙ୍ଗଲ ଜମିରେ ଇସଲାମ ନଗର ନିର୍ମାଣକୁ ଗମ୍ଭୀରତା ସହିତ ନେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ଜଙ୍ଗଲ ଜମିରେ ରାସ୍ତା ଘାଟ, ଘର ଓ ତାର ବାଡ଼ ନିର୍ମାଣ କରାଯାଇଛି । ସେହିପରି ମନରେଗା ମାଧ୍ୟମରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ମାମଲାରେ ସୋ-ମୋଟୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ, ବନ ବିଭାଗର ମୁଖ୍ୟ ପିସିସିଏଫ୍ ଏବଂ ରାଜ୍ୟ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି ଏନଜିଟି । ମାମଲାର ଶୁଣାଣୀ ଆସନ୍ତା ଡିସେମ୍ବର ୩ ତାରିଖରେ କରାଯିବ । ଏହାର ସପ୍ତାହକ ପୂର୍ବରୁ ଜବାବ ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଜମି ଉପରେ କିପରି ଘର ଓ ରାସ୍ତା ନିର୍ମାଣ ହେଲା ତାହାର ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି ।
ମୋଟୁ ଦେଇ ଯାଇଥିବା ଜାତୀୟ ରାଜପଥ-୩୨୬ ପାଖରେ ଥିବା ଘଞ୍ଚ ଜଙ୍ଗଲ ଜମିରେ ଇସଲାମ ନଗର ନିର୍ମାଣ ହୋଇଛି । ଜଙ୍ଗଲ ସଂରକ୍ଷଣ ଧାରା ୧୯୮୦ ଓ ପରିବେଶ ସୁରକ୍ଷା ଧାରା ୧୯୮୬ ଆଇନର ଏହା ଉଲ୍ଲଂଘନ କରୁଛି ।
ଜଙ୍ଗଲ ଜମିରେ ନଗର ନିର୍ମାଣକୁ ନେଇ ବିଜେପି ତତ୍କାଳୀନ ବିଜେଡ଼ି ସରକାର ଉପରେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ବିଜେଡ଼ି ଏହାକୁ ଟାଳି ଦେଇଥିଲେ । ଏହି ଅଞ୍ଚଳରେ ସରକାରୀ ଅର୍ଥ ବିନିଯୋଗ କରି ବିଜେଡ଼ି ନେତା ଓ କର୍ମୀ ଜଙ୍ଗଲ ଜମି ଅକ୍ତିଆର କରି ବସିଥିବା ଅଭିଯୋଗ ହୋଇଥିଲା ।