ଭୁବନେଶ୍ୱର: ଦୀର୍ଘ ଦିନ ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ମୋଟର ଭେହିକିଲ୍ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳୁ ଆଶୁତୋଷଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ଭଉଣୀ ସୂଚନା ଦେଇଛନ୍ତି ।
ଆଶୁତୋଷଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୁଇ ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଶୁତୋଷଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନାହିଁ । ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ପତ୍ନୀ ଓ ଶଳା ଲଗାଇ ଦେଇଥିଲେ ନିଆଁ- ଆଶୁତୋଷ
ଆଶୁତୋଷ ଆରଟିଓରେ କାର୍ଯ୍ୟରତ ଥିବାବେଳେ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଓଡ଼ିଶା ପୋଲିସରେ କାର୍ଯ୍ୟରତ କନେଷ୍ଟେବଳ । ଗତ ଜୁନ୍ 6 ତାରିଖରେ କନଷ୍ଟେବଳ ଆଶୁତୋଷଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୃତ୍ୟୁ ସହିତ ଲଢ଼େଇ କରୁଥିବା ଆଶୁତୋଷ, ପତ୍ନୀ ସନ୍ଧ୍ୟା ଏବଂ ଶାଳକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ପୋଲିସ ଜମାନବନ୍ଦୀ ରେକର୍ଡ କରିବା ସମୟରେ ଆଶୁତୋଷ କହିଥିଲେ ଯେ ସେ କ୍ଵାର୍ଟରକୁ ଯାଇଥିବା ସମୟରେ ତାଙ୍କ ପତ୍ନୀ ଏବଂ ଶଳା ମିଶି ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଭୟଙ୍କର ଭାବେ ନିଆଁ ଜଳି ଉଠିବା ପରେ ଆଶୁତୋଷ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ । ଆଶୁତୋଷଙ୍କ ଏହି ବୟାନ ସମ୍ପୂର୍ଣ୍ଣ ଘଟଣାର ମୋଡ଼କୁ ବଦଳାଇ ଦେଇଥିଲା । କାରଣ ଆଇନ ଅନୁସାରେ ଜଣେ ଯଦି କେହି ମୃତ୍ୟୁ ବିଛଣାରେ ରହି ବୟାନ ଦେଇଥାଏ ତାହାକୁ ସତ ବୋଲି ଧରି ନିଆଯାଏ ।
ପତ୍ନୀ ଆଣିଥିଲେ ନିର୍ଯ୍ୟାତନା ଅଭିଯୋଗ
ସେପଟେ ଆଶୁତୋଷଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ବିରୁଦ୍ଧରେ ଶାରୀରିକ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଆଶୁତୋଷ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ବିବାଦ ଲାଗି ରହିଥିଲା। ପୂର୍ବରୁ ଏହି ପାରିବାରିକ ଝଗଡ଼ା ଥାନା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଏଥିପାଇଁ ସେ ଜେଲ୍ ଯାଇ ଜାମିନରେ ମୁକୁଳିଥିଲେ । କିନ୍ତୁ ଜାମିନ ଅର୍ଡରରେ ସେପରି କିଛି ଘଟିନଥିବା ମାନ୍ୟବର ଅଦାଲତ କହିଥିବା ଜଣାପଡ଼ିଛି । ସନ୍ଧ୍ୟାଙ୍କୁ ମାଡ଼ ମରାଯାଇଥିବା ନେଇ ଅଦାଲତ କୌଣସି ପ୍ରମାଣ ପାଇନଥିଲେ । ସନ୍ଧ୍ୟାଙ୍କ ଶରୀରରେ ଥିବା ଦାଗ ସାମାନ୍ୟ ଥିଲା । ଏମିତିକି ଗର୍ଭନଷ୍ଟ କାରଣର ଠୋସ୍ ପ୍ରମାଣ ମିଳିନଥିଲା । ପେଟକୁ ଆଘାତ ଆସିବାରୁ ଗର୍ଭନଷ୍ଟ ହେବାର ମଧ୍ୟ ପ୍ରମାଣ ନ ପାଇବାରୁ ଅଦାଲତ ଆଶୁତୋଷଙ୍କୁ ଜାମିନ ପ୍ରଦାନ କରିଥିଲେ । ଫଳରେ ସନ୍ଧ୍ୟାଙ୍କ ମିଛର ପର୍ଦ୍ଦାଫାସ୍ ହୋଇଥିଲା ।
ଆଶୁତୋଷଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ତୁରନ୍ତ ପତ୍ନୀ ସନ୍ଧ୍ୟାରାଣୀ, ଶାଳକ ଏବଂ ସନ୍ଧ୍ୟାରାଣୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିବାକୁ ଦାବି କରିଛି ପରିବାର । ସନ୍ଧ୍ୟାଙ୍କୁ ପୋଲିସ ଘଣ୍ଟ ଘଡ଼ାଉଥିବା ସେମାନେ କହିଛନ୍ତି ।