ଭୁବନେଶ୍ୱର: ଆଜି ମୋହନ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି। ଏହି ଅବସରରେ ରାଜ୍ୟ ରାଜନୀତିର ନଜର ରହିଛି ରାତି ୮ଟାରେ ବସିବାକୁ ଥିବା କ୍ୟାବିନେଟ୍ ବୈଠକ ଉପରେ। ଦୁଇ ବର୍ଷର ଶାସନ ଯାତ୍ରାକୁ ନୂଆ ଦିଗ ଦେବା ସହ ବିଭିନ୍ନ ବର୍ଗଙ୍କ ପାଇଁ ବଡ଼ ଉପହାର ଘୋଷଣା କରିପାରନ୍ତି ସରକାର ବୋଲି ଚର୍ଚ୍ଚା ଜୋର ଧରିଛି।
ବିଶେଷକରି ମହିଳା ଓ ଯୁବବର୍ଗଙ୍କୁ ଫୋକସ୍ରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିପାରେ। ବିଜେପି ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥର ମଧ୍ୟ କିଛି ଚମକପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ଅନ୍ୟପଟେ, ସରକାରଙ୍କ ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଆଜି ଅନେକ ମେଗା ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ‘ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିବା ସହ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସରୁ ଇନଫୋସିଟି ପର୍ଯ୍ୟନ୍ତ ରାସ୍ତା ଏବଂ ୫୭୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜନାଶ୍ରୟ ଭବନର ଉଦଘାଟନ କରିବେ।
ସେହିପରି ଜୟଦେବ ବିହାର-ନନ୍ଦନକାନନ ରୋଡ୍ ପ୍ରକଳ୍ପର କାର୍ଯ୍ୟାରମ୍ଭ ସହ ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ।
ତେବେ ୨ ବର୍ଷ ପୂର୍ତ୍ତିର ଏହି ବିଶେଷ କ୍ୟାବିନେଟ୍ ବୈଠକରୁ ରାଜ୍ୟବାସୀଙ୍କ ପାଇଁ କେଉଁ ନୂଆ ଉପହାର ନେଇ ଆସୁଛନ୍ତି ମୋହନ ସରକାର, ଏହା ଉପରେ ଏବେ ସମସ୍ତଙ୍କ ନଜର।