କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୂ ପ୍ରସାଦ ରାଉତରାୟ। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଔପଚାରିକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ନଭେମ୍ବର ୧୬ ତାରିଖରୁ ସେ ଏହି ଦାୟିତ୍ୱ ଗ୍ରହଣ କରିବେ।
ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ହାଇକୋର୍ଟରେ ପରବର୍ତ୍ତୀ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପର୍ଯ୍ୟନ୍ତ ଜଷ୍ଟିସ୍ ରାଉତରାୟ ଏହି ପଦବୀର ଦାୟିତ୍ୱ ସମ୍ଭାଳିବେ। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ନଭେମ୍ବର ୧୫ ତାରିଖରେ ଅବସର ନେବେ। ତାଙ୍କ ଅବସର ପରେ ଜଷ୍ଟିସ୍ ରାଉତରାୟ ଏହି ଗୁରୁତ୍ୱପୂର୍ଣ୍ଣ ପଦର ଦାୟିତ୍ୱ ନେବେ।
ଜଷ୍ଟିସ୍ ବିଭୂ ପ୍ରସାଦ ରାଉତରାୟ ଜଣେ ଅଭିଜ୍ଞ ଆଇନଜୀବୀ ଏବଂ ବିଚାରପତି ଭାବେ ପରିଚିତ। ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ନ୍ୟାୟିକ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ପାଇଁ ସେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।
ଜଷ୍ଟିସ୍ ରାଉତରାୟଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ଓଡ଼ିଶାର ନ୍ୟାୟିକ ମହଲରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଭାବେ ଦେଖାଯାଉଛି। ଆଗାମୀ ଦିନରେ ହାଇକୋର୍ଟର ବିଚାର ପ୍ରକ୍ରିୟା ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କ ନେତୃତ୍ୱ ଗୁରୁତ୍ୱ ବହନ କରିବ।