ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । କାଳବୈଶାଖୀର ତାଣ୍ଡବରେ କେଉଁଠି ଗଛ ଉପୁଡି ଯାଇଛି ତ କେଉଁଠି ବିଦ୍ୟୁତ ତାର ତଳେ ପଡିଛି । କାହା ଘର ଉପରେ ଗଛ ପଡିଯିବା ଫଳରେ ଚାଳ ଛପର ଘର ଭାଙ୍ଗିଯାଇଛି । ଘର ଉପରେ ଗଛ ପଡି କିଛି ସ୍ଥାନରେ ଲୋକେ ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସୋମବାର ସନ୍ଧ୍ୟାରେ ଗଜପତି ଜିଲ୍ଲା ମୋହନା ବ୍ଲକର ପଦାଗାଁ ଗ୍ରାମ ନିକଟରେ ୧୦ ରୁ ଅଧିକ ଘରର ଛପର ଉଡେଇ ନେଇଛି କାଳବୈଶାଖୀ। ବିଶାଳକାୟ ଗଛ ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡି ରାସ୍ତା ଉପରେ ସୋଇପଡିଛି । ସୂଚନା ଅନୁଯାୟୀ ଘରର ମାଟି ଅତଡ଼ା ଖସି ସୁରଜ୍ ବେହେରାଙ୍କ ୭ ବର୍ଷର ପୁଅ କୁକୁନୁ ବେହେରା ଆହାତ ହୋଇଛନ୍ତି। ଅନ୍ୟପକ୍ଷରେ ଜାତୀୟ ରାଜପଥ ୩୨୬ ରାସ୍ତା ଉପରେ ଗଛ ପଡ଼ି ରହିଥିବା ରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣା ସ୍ଥଳରେ ମୋହନା ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଡବା ପୋଲିସଙ୍କ ମିଳିତ ଉଦ୍ୟମରେ ରାସ୍ତାରୁ କଟର ମେସିନ ସାହାଯ୍ୟରେ ଗଛକୁ କାଟି ସଫା କରାଯାଇଛି।
ଅଧିକ ପଢନ୍ତୁ : ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ : ଅଂଶୁଘାତ ନେଲା ପୁଣି ଏକ ଜୀବନ