ସାରା ରାଜ୍ୟରେ ବଢୁଛି ତାତି । ପ୍ରବଳ ଖରାରେ ଜଳୁଛି ସାରା ଓଡିଶା । ଗତ ୧୬ ଦିନ ହେଲା ଆକାଶରୁ ଅଗ୍ନିବର୍ଷା ହେଉଛି । ଏବଂ ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏହାସହିତ ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୬ ଡିଗ୍ରୀ ସେଲସିୟସ ତାପମାତ୍ରା ପାର କରିଛି । ମଙ୍ଗଳବାର ବିଶ୍ୱର ପ୍ରଥମ ଉତ୍ତପ୍ତ ୧୦ ଟି ସହର ଭିତରେ ଓଡିଶାର ତିନୋଟି ସହର ରହିଛି । ଦ୍ୱୀତିୟରେ ବାରିପଦା , ତୃତୀୟରେ ବାଲେଶ୍ୱର ଓ ଦଶମ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର । ମଙ୍ଗଳବାର ରାଜ୍ୟରେ ବାଲେଶ୍ୱରର ତାପମାତ୍ରା ୪୬ ଡିଗ୍ରୀ , ବାରିପଦାରେ ୪୬.୬ଡିଗ୍ରୀ ଓ ଭୁବନେଶ୍ୱରରେ ୪୫.୫ ଡିଗ୍ରୀ ରହିଛି । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ୭ ତାରିଖ ଆଡକୁ ପାଗରେ ବଡ ପରିବର୍ତନ ହେବା ନେଇ ସୂଚନା ମିଳିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ବଢିବା ସହିତ ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭବନା ରହିଛି । ଏବଂ ଆସନ୍ତା ୫ରୁ ୬ ଚାରିଖ ଭିତରେ ଓଡିଶାରେ ପାଗରେ ବଡ ପରିବର୍ତନ ହେବା ନେଇ ସୂଚନା ମିଳିଛି । ସେହିପରି ୬ ତାରିଖରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୭-୩୮ ଡିଗ୍ରୀ ପାଖାପାଖି ରହିବ । ଏବଂ ସାମୁଦ୍ରିକ ପବନ ବଢିବା ଯୋଗୁଁ ଉପକୂଳରେ ଭଲ ବର୍ଷା ହେବା ସହ ଆସନ୍ତା ୭ ,୮,୯,୧୦ ତାରିଖରେ କାଳ ବୈଶାଖୀ ହେବା ନେଇ ସମ୍ଭାବନା ରହିଛି ।