ଭୁବନେଶ୍ୱର: ଆଉ ଦିନକ ପରେ ‘ଭାରତ ମାତା କି ଜୟ’ର ଧ୍ୱନୀରେ ଗୁଞ୍ଜରିତ ହେବ ସାରା ଦେଶ । ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଆୟୋଜିତ ହେବାକୁ ରାଜ୍ୟ ସ୍ତରୀୟ ପରେଡ୍ ପାଇଁ ଚାଲିଛି ପ୍ରସ୍ତୁତି । ଆଜି ଗାନ୍ଧୀମାର୍ଗରେ ପରେଡ୍ ଅଂଶ ଗ୍ରହଣ କରୁଥିବା ଟିମ୍ ଗୁଡ଼ିକ୍ ଫୁଲ୍ ଡ୍ରେସ୍ ରିହରସଲ୍ କରିଛନ୍ତି ।
ଆଜି ସକାଳେ ମହାତ୍ମାଗାନ୍ଧି ମାର୍ଗରେ ୪୩ଟି କଣ୍ଟିଜେଣ୍ଟ ଗ୍ରୁପ୍, ୧୦ଟି ପ୍ରଜ୍ଞାପନ ମେଢ଼ ଓ ୪ଟି ସାଂସ୍କୃତିକ ଦଳ ଫୁଲ୍ ଡେସ୍ ଅଭ୍ୟାସ କରିଛନ୍ତି । ଛାତ୍ରଙ୍କ ଦ୍ୱାରା ସ୍କେଟିଂରେ ଶିବ ତାଣ୍ଡବ ଓ ରାୟଗଡ଼ାର ଢେମସା ନୃତ୍ୟ ଗୀତ ଧ୍ୟାନ ଆକର୍ଷଣ କରୁଛି ।ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ ପରେଡ୍ରେ ଭାଗ ନେବେ । ୧୨୦ ଇନ୍ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା ବଳ, ଇଣ୍ଡୋ ତିବ୍ବତୀୟ ବର୍ଡର ପୁଲିସ (ଆଇଟିବିପି), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍) ବ୍ୟାଣ୍ଡ, ରେଳବାଇ ସୁରକ୍ଷା ବଳ, ଷଷ୍ଠ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବିଏନ୍), ଅଗ୍ନିଶମ ଓ ସପ୍ତମ ଓଡ଼ିଶା ସଶସ୍ତ୍ର ପୁଲିସ ବଳ ଭଳି ସଶସ୍ତ୍ର ବାହିନୀ ଅଭ୍ୟାସ କରିଛନ୍ତି । ବାକି ୨୯ଟି କଣ୍ଟିଜେଣ୍ଟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଏନ୍ସିସି, ସ୍କାଉଟ୍ସ୍, ଗାଇଡ୍ସ ସହ ଡେୟାର ଡେଭିଲ୍, ଏନ୍ସିସି ଅଶ୍ୱବାହିନୀ ପରେଡ୍ରେ ସାମିଲ ହେବେ । ଏଥର ପରେଡରେ ନେତୃତ୍ୱ ନେଉଛନ୍ତି ଯୁବ ଆଇପିଏସ ଅଫିସର୍ ଭୋସଲେ ଶୁଭମ ସଞ୍ଜୟ ।
ଚଳିତ ବର୍ଷ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ନୂତନ ରାଜ୍ୟପାଳ ଡାକ୍ତର ହରି ବାବୁ କମ୍ଭମପତି ପ୍ରଥମ ଥର ପାଇଁ ଓଡ଼ିଶାରେ ଧ୍ୱଜାବତରଣ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।
ସାଧାରଣ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶକଙ୍କ ପାଇଁ ୭ଟି ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ରେଳଷ୍ଟେସନ ନିକଟ ବିଡିଏ ବସଷ୍ଟାଣ୍ଡ, ୨ ନଂ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ ଏବଂ ରବିନ୍ଦ୍ର ମଣ୍ଡପ ଭିତରେ ବାଇକ୍ ଓ କାର୍ ପାର୍କିଂ କରିବାର ବ୍ୟବସ୍ଥା ରହିଛି । ସେହିପରି କଂଗ୍ରେସ ଭବନ, ଜୟଦେବ ଭବନ, ୩ ନଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାମ୍ନା ଓ ଇଡକଲ ଅଡିଟୋରିୟମର ଖୋଲା ଜାଗାରେ ମଧ୍ୟ ଗାଡ଼ି ରଖିବାର ସୁବିଧା ରହିଛି ।