ଭୁବନେଶ୍ୱର: ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲାର ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ଼ ବା ଏସଟିଏଲକୁ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ କ୍ଲିନ୍ ଚିଟ୍ ଦେଇଥିଲା । ଯାହା ପରେ ଏସଟିଏଲ୍ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିଲା ।
ଗଣମାଧ୍ୟମରେ ପ୍ରସାରିତ ଚିଠି ଅନୁସାରେ ଗତବର୍ଷ ଅଗଷ୍ଟ ମାସ ୪ ତାରିଖରେ କ୍ରାଇମବ୍ରାଞ୍ଚ ଏସଟିଏଲ୍ କମ୍ପାନୀକୁ କ୍ଲିନ୍ ଚିଟ୍ ସାର୍ଟିଫିକେଟ୍ ପ୍ରଦାନ କରିଥିଲା । ସେହିପରି ତାର ମାଲିକ ସୁରେଶ ନାୟକଙ୍କୁ ମଧ୍ୟ ଭଦ୍ରାମୀର ସାର୍ଟିଫିକେଟ୍ ଦିଆଯାଇଥିଲା । ଯାହାର ମାତ୍ର ଏକ ମାସ ପରେ ଏସଟିଏଲ୍ କମ୍ପାନୀ ପରୀକ୍ଷା କେଳେଙ୍କାରୀ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ।
ପ୍ରଥମେ ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟେ ବୋର୍ଡ ବା ଓପିଆରବି ଏସ୍ଆଇ ପରୀକ୍ଷା ପରିଚାଳନା ପାଇଁ କୋଲକାତାର ଆଇଟିଆଇ ଲିମିଟେଡ୍ ସଂସ୍ଥାକୁ ଟେଣ୍ଡର ଦେଇଥିଲା । ଏହି ସଂସ୍ଥା ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡକୁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ଦେଇଥିଲା । ସିଲିକନ୍ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା ଦାୟିତ୍ୱ ଦେଇଥିଲା ।
ପ୍ରକାଶ ଯୋଗ୍ୟ, ପ୍ରଥମେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା । ମାତ୍ର ଏଥିରେ ଆନ୍ତଃରାଜ୍ୟ ସମ୍ପୃକ୍ତି ନେଇ ସନ୍ଦେହ ଉପୁଜିବା ପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ପ୍ରଦାନ କରିଥିଲା । ଏହି ମାମଲାରେ ସିବିଆଇ ତାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିସାରିଛି । ଚାର୍ଜସିଟରେ ୧୬ ଜଣଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହିତ ଚାର୍ଜସିଟ୍ ଦାଖଲ ହୋଇଛି । ହାଇକୋର୍ଟ ସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଆଗାମୀ ପାଞ୍ଚ ବର୍ଷ ଯାଏ କଳାତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।