ପୁରୀ: ଆଜି ଶ୍ରୀମନ୍ଦିରରେ ଛତିଶାନିଯୋଗ ବୈଠକ ବସିବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଟୋବର ୩ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ କାର୍ତ୍ତିକ ମାସ ନୀତି । ନୀତି ନିର୍ଘଣ୍ଟ ଅନୁମୋଦନ ପାଇଁ ଆଜି ବସିବ ଛତିଶାନିଯୋଗ ବୈଠକ ।
ଆସନ୍ତା ମାସ ତଥା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତିର ନୀତି ନିର୍ଘଣ୍ଟ ଅନୁମୋଦନ ଧାଡ଼ି ଦର୍ଶନ ଏବଂ ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ବୈଠକ ଆଲୋଚନାର ପ୍ରମୁଖତା ରହିଛି ।ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ନିଯୋଗର ମୁଖିଆମାନେ ବସି ନୀତି ଶୃଙ୍ଖଳା ନିମନ୍ତେ ନିଷ୍ପତ୍ତି ନେବେ। ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହେବାକୁ ସ୍ଥିର ହୋଇଛି ।
ଅକ୍ଟୋବର ୩ ତାରିଖରେ ଶ୍ରୀଜୀଉଙ୍କ ଦାମୋଦର ବେଶ ସହ ବାଳଧୂପ ନୀତି ଆରମ୍ଭ ହେବ। ନଭେମ୍ବର ୨ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତଥାପନ, ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତଥାପନ, ୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ମାସ ତମାମ ହବିଷ୍ୟାଳି ବ୍ରତଧାରୀଙ୍କ ଭିଡ଼ ଶ୍ରୀମନ୍ଦିରରେ ରହିବ। ତେଣୁ ଶ୍ରୀମନ୍ଦିରରେ ସଅଳ ନୀତି ଆରମ୍ଭ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୀଘ୍ର ମହାପ୍ରସାଦ ପାଇବା ଗୁରୁତ୍ୱ ରହିବ। ଏହାକୁ ସୂଚାରୁ ରୂପେ ତୁଲାଇବା ପ୍ରଶାସନ ପାଇଁ ଗତ ବର୍ଷ ଅପେକ୍ଷା ଅଧିକ କଠିନ ହେବ।