କେନ୍ଦ୍ରାପଡା: ଦିନ ହେଉ ଅବା ରାତି ଗୋବରୀ ନଦୀ କୁଳିଆ ଲୋକଙ୍କ ନିଦ ହଜେଇ ଦେଲାଣି ମଣିଷ ଖିଆ କୁମ୍ଭୀର। କୁମ୍ଭୀର ଲଢେଇ ଭିତରେ କେତେ ବେଳେ ମଣିଷ ତ ଆଉ କେବେ ନିରୀହ ଛେଳି ମେଣ୍ଢାଙ୍କ ଜୀବନ ଅକାଳରେ ଚାଲି ଯାଉଛି। ଗତକାଲି ଠାରୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ସୁନୀତି ଗ୍ରାମ ପଞ୍ଚାୟତ ବେଣାକନ୍ଧା ଗାଁରେ, ଜଣେ ମହିଳାଙ୍କୁ ନଈକୂଳରୁ କୁମ୍ଭୀର ଝାମ୍ପିନେଇଥିବା ବେଳେ ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ମୁତାବିକ ମହିଳା ଜଣକ ଗତକାଲି(ଶୁକ୍ରବାର) ଅପରାହ୍ନ ୩ଟାବେଳେ ନଦୀକୂଳକୁ ଛେଳି ଚରାଇବାକୁ ଆସିଥିଲେ । ଏତିକିବେଳେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିଲା । ଗତକାଲି ଠାରୁ ବନ ବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକ ମାନଙ୍କ ଦ୍ବାରା ବହୁତ ଖୋଜାଖୋଜି ପରେ ନିଖୋଜ ଶେଷରେ ମହିଳାଙ୍କ ମୃତଦେହ ଉଦ୍ଧାର ହେଇଛି । ମହିଳାଙ୍କ ଦୁଇ ଗୋଡ଼ରେ କୁମ୍ଭୀର କାମୁଡାର ଚିହ୍ନ ରହିଥିବା ଦେଖିବାକୁ ମିଳିଛି ।
ନଦୀନାଳ ଘେରା ମହାକାଳପଡ଼ା ଅଂଚଳରେ ଦିନକୁ ଦିନ କୁମ୍ଭୀର ଆକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି। ମହିଳାଙ୍କ ମୃତଦେହ ଉଦ୍ଧାର ହେବାପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି।