ଭୁବନେଶ୍ୱର: ‘ଭୂତ ବଙ୍ଗଳା’ରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଶୋଇବାକୁ ନେଇ ବଚସାରୁ ଘଟିଲା ଭୟଙ୍କର ହତ୍ୟା। ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଅଭିଯୁକ୍ତ ରଚିଥିଲା ମିଛ କାହାଣୀ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଖୋଲିଗଲା ପୂରା ରହସ୍ୟ।
ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ। ମୃତକ ହେଉଛନ୍ତି ମହନୀ ଦାସ। ଘଟଣାରେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରିଛି ଚନ୍ଦକା ଥାନା ପୁଲିସ। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ଗତ ୧ ତାରିଖରେ ‘ଭୂତ ବଙ୍ଗଳା’ ଭାବେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ମହନୀ ଦାସଙ୍କୁ ବାଉଁଶ ଲାଠିରେ ଆକ୍ରମଣ କରାଯାଇଥିଲା। କେବଳ ଶୋଇବାକୁ ନେଇ ମହନୀ ଓ ବାପିଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମହନୀଙ୍କୁ ଆକ୍ରମଣ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏହି ଆକ୍ରମଣରେ ବିଷ୍ଣୁ ବେହେରା ଓ ବଳରାମ ଭୋଇ ମଧ୍ୟ ଆହତ ହୋଇଥିଲେ।
ଅଭିଯୋଗ ଅନୁସାରେ, ମହନୀ ଶୋଇପଡ଼ିଥିବା ବେଳେ ବାପି ତାଙ୍କ ମୁଣ୍ଡକୁ ବାଉଁଶରେ ଆକ୍ରମଣ କରିଥିଲା। ଗୁରୁତର ମହନୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ପ୍ରଥମେ ଏମ୍ସରେ ଚିକିତ୍ସା ପରେ ତାଙ୍କୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମହନୀଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟପଟେ, ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ବାପି ମିଛ କାହାଣୀ ଗଢ଼ିଥିବା ଅଭିଯୋଗ ହୋଇଛି। ମହନୀ ଛାତରୁ ଖସିପଡ଼ିଥିବା କହି ତାଙ୍କୁ ହସ୍ପିଟାଲ ନେଇଯିବା ସହ ଡାକ୍ତରଙ୍କୁ ମଧ୍ୟ ସେହି ସୂଚନା ଦେଇଥିଲା।
ତେବେ ମହନୀଙ୍କ ପତ୍ନୀ କବିତା ଦାସ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ତଦନ୍ତରୁ ସାମ୍ନାକୁ ଆସିଥିଲା ଘଟଣାର ପ୍ରକୃତ ଚିତ୍ର। ପଚରାଉଚରା ବେଳେ ବାପି ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ଅଭିଯୁକ୍ତ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦକା ଥାନା ପୁଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।