ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ବିସ୍ତୃତ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ବିଜେପି ସରକାରଙ୍କ ଏହା ଦ୍ୱିତୀୟ ବଜେଟ୍। ଯାହାର ମୋଟ ବ୍ୟୟ ଅଟକଳ ୨.୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଯାହାକି ୨୦୨୪-୨୫ ଆର୍ଥିକ ବର୍ଷର ୨,୬୫,୦୦୦ କୋଟି ଟଙ୍କାର ବଜେଟ୍ ଆକଳନରୁ ଅଧିକ।
ଚଳିତ ବଜେଟରେ ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ୩୭, ୮୦୦ କୋଟିର କୃଷି ବଜେଟ ରହିଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ କରିଛୁ । ପୁଞ୍ଜିନିବେଶ ଲାଗି ବାଟ ଫିଟିଛି । ୧୬ ଲକ୍ଷ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ । ରାଜ୍ୟରେ ନିଯୁକ୍ତି ବଢିବ । ଓଡ଼ିଶାକୁ ବିକଶିତ କରିବା ଦିଗରେ ଆମେ କାମ କରୁଛୁ । ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସହରୀକରଣ ଯୋଜନା ଅଭିବୃଦ୍ଧିର ଇଞ୍ଜିନ କରିବୁ । ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ବନ୍ଦର ଭିତ୍ତିକ ବିକାଶ ଦିଗରେ ଆମେ କାମ କରୁଛୁ । ନୂଆ ଶିଳ୍ପ ଦିଗରେ ରାଜ୍ୟ ସରକାର ଅଗ୍ରସର ହେଉଛନ୍ତି ।
ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ଲକ୍ଷ୍ୟ ରହିଛି । ଓଡ଼ିଶା ହେବ ବିକଶିତ ଭାରତର ଇଞ୍ଜିନ । ଗ୍ରାମାଞ୍ଚଳରେ ଅଧିକ ପୁଞ୍ଜି ନିବେଶ କରାଯିବ ।