କେନ୍ଦ୍ରାପଡ଼ା: ରାଜ୍ୟରେ ଅଦିନିଆ ବର୍ଷା ଫସଲ ବର୍ବାଦ କରିବା ପରେ ଏବେ ରାଜ୍ୟରେ ଧିରେ ଧିରେ ଚାଷୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ବିଗତ ୪ ଦିନ ମଧ୍ୟରେ ୪ ଜଣ ଚାଷୀ ପ୍ରାଣ ହରାଇଲେଣି । କିଏ ହୃଦଘାତରେ ତ ଆଉ କିଏ କୀଟନାଶକ ପିଇ ପ୍ରାଣ ହରାଉଛନ୍ତି । ଆଜି ପୁଣି ଜଣେ ଜଣେ ଚାଷୀ ମୃତ୍ୟୁର ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକରେ ଜଣେ ଚାଷୀ ଜୀବନ ହାରିଥିବା ସୂଚନା ମିଳିଛି । ମୃତ ଚାଷୀ ଜଣକ ହେଲେ ଦୈତାରୀ ଜେନା (୭୨) ।
କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତର କୋସିଦା ଗ୍ରାମର ଦୈତାରୀ ଜେନା ଋଣ କରି ଭାଗ ଚାଷ କରିଥିଲେ । ଲଗାଣ ବର୍ଷା ପରେ ବିଲକୁ ଯାଇଥିଲେ ଧାନ ଦେଖିବାକୁ । କିନ୍ତୁ ସେଠାରୁ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଏହା ପରେ ସେ ନିଜର ମାନସିକ ଭାରସାମ୍ୟ ହରାଇବସିଥିଲେ । ଘରକୁ ଆସି ସେ ତୁରନ୍ତ କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକ ଜାଣିବା ପରେ ତାଙ୍କୁ ମେଡ଼ିକାଲ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ ଏହାକୁ ମିଶାଇ ରାଜ୍ୟରେ ୨ ଜଣ ଚାଷୀ ଆତ୍ମହତ୍ୟା କରିଥିବାବେଳେ ୩ ଜଣ ଚାଷୀଙ୍କର ହୃଦଘାତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୬ ତାରିଖ ଦିନ ଗଞ୍ଜାମ ଜିଲ୍ଲା ବଡ଼ମାଧବପୁରର ଚାଷୀ ବନମାଳି ପେଣ୍ଠେଇ (୬୪ ) ପାଇଖାନା ଘରେ ଆତ୍ମହତ୍ୟା କରିଥିଲେ । ସେ ୪ ଏକର ଜମିରେ ଚାଷ କରିଥିଲେ । ନିଜର ୨ ଏକର ହୋଇଥିବା ବେଳେ ଆଉ ୨ ଏକର ଜମିରେ ଭାଗ ଚାଷୀ ହିସାବରେ ଚାଷ କରୁଥିଲେ । ଅଦିନିଆ ଲଗାଣ ବର୍ଷାରେ ଚାଷ ଉଜୁଡ଼ି ଯାଇଥିବାରୁ ଚିନ୍ତାରେ ପଡ଼ିଥିଲେ । ପ୍ରାୟ ଦୁଇ ଲକ୍ଷ ଟଙ୍କା ଅନ୍ୟମାନଙ୍କ ଠାରୁ ଧାର କରଜ କରି ଚାଷ କରିଥିଲେ । ତେଣୁ ଋଣ ଟଙ୍କା କେମିତି ପରିଶୋଧ କରିବେ ସେ ନେଇ ଚିନ୍ତାଗ୍ରସ୍ତ ଥିବାବେଳେ କୀଟନାଶକ ପିଇ ଦେଇଥିଲେ ।
ସେହିପରି ୨୬ ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ବୀର ରାମଚନ୍ଦ୍ରପୁର ପଞ୍ଚାୟତର ଡୁଙ୍ଗୁର ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇ ବିଲକୁ ଧାନ ଦେଖିବାକୁ ଯାଇଥିଲେ । ଧାନ କ୍ଷେତକୁ ଦେଖିବା ପରେ ବିଲ ମଝିରେ ହିଁ ଟଳି ପଡ଼ିଥିଲେ ।
ଅନୁରୂପ ଭାବେ ୨୬ ତାରିଖରେ ରାଜ୍ୟରେ ଆଉ ଜଣେ ଚାଷୀଙ୍କର ହୃଦ ଘାତରେ ଜୀବନ ହାରିଥିଲେ । ସେ ହେଲେ ଜଗତସିଂହପୁର ଜିଲ୍ଲାର ଚାନ୍ଦପୁରା ଗ୍ରାମର ଚାଷୀ ଧ୍ରୁବ ଚରଣ ସ୍ୱାଇଁ(୭୨) । ଅଦିନିଆ ବର୍ଷାରେ ପାଚିଲା ଧାନ ଗଜା ହେବା ଦେଖିବା ପରେ ଚିନ୍ତାରେ ବୁଡ଼ି ଯାଇଥିଲେ । ଘରକୁ ଆସିବା ପରେ ରାତିରେ କିଛି ନ ଖାଇ ଶୋଇ ପଡ଼ିଥିଲେ । ତେବେ ରାତିରେ ଶୋଇଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ମେଡ଼ିକାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସନ୍ଥପଡ଼ା ଗ୍ରାମରେ ହୃଦଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ଭାବଗ୍ରାହୀ ମଲ୍ଲିକ । ସେ ୭ ଏକର ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ଲଘୁଚାପ ଜନିତ ବର୍ଷାରେ ତାଙ୍କର ପ୍ରାୟ ୩ ଏକର ଧାନ ପାଣିରେ ବୁଡ଼ିକି ରହିଥିଲା । ଯାହାକୁ ଦେଖିବା ପରେ ସେ ଘରକୁ ଫେରିଥିଲେ ଏବଂ ତୁରନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।